ରତ୍ନ ଶତକ

 

 

 

 

 

 

 

 

 

 

 

 

ରତ୍ନ-ଶତକ

ଶ୍ରୀ ଚକ୍ରଧର ଆଚାର୍ଯ୍ୟ

 

ରାଧାନାଥ

 

ରାଧାନାଥ ପ୍ରକୃତିରେ ପଟ୍ଟ ପୁରୋହିତ,

ଦେଖ ଆଜି ନୀରାଜନା ସାମଗ୍ରୀ ସଜ୍ଜିତ

ରହିଅଛି ଜନନୀର ପୂଜା ପୀଠ ତଳେ

ତୁମ୍ଭ ବିନା କିଏ ଆଉ ପୂଜାପାତ୍ରୀ ଧରେ ?

ନ ଜାଣନ୍ତି କେହି ସାଜି ତୁମ୍ଭ ପଦ୍ମାସନ

ଶିଖି ନାହାନ୍ତି ତ ଭାବ-ଭଙ୍ଗୀ ପ୍ରକରଣ ।

ଆରତି କା’କରେ ତେଣୁ ନ ଦିଶେ ଶୋଭନ

କରିବ କିଏସେ ଆଉ ପ୍ରକୃତି ପୂଜନ ?

ଛପିବ କି କବିବର ! ‘ହେଲାଣି ଭାବନା

ଜନନୀ ମନ୍ଦିରେ ଉଷା-ସନ୍ଧ୍ୟା ବନ୍ଦାପନା ?

କିଏ ବା ପଢ଼ିବ ଆଉ ଆରତି ସଙ୍ଗୀତ

କୋଟି ଜନ ମନ କିଣା ମଧୁର ଲଳିତ ।

ଯୋଗରେ ବସିଛ ଭାବି ନିଭୃତ ନିଳୟେ

ରହିଛୁଁ ଅନାଇଁ ଆମ୍ଭେ ନୀରବେ ନିର୍ଭୟେ ।

Image

 

ମଧୁସୂଦନ

 

ଶୁଭୁ ନାହିଁ କାହିଁ ଆଜି ମଙ୍ଗଳ ବାଜଣା,

ନ ହୁଏ କି ଉତ୍କଳରେ ଈଶ ଆରାଧନା ?

ଉପାସନା ମନ୍ଦିରରେ ଓଁ କାର ଝଙ୍କାର

ବିଲୁପ୍ତ କାହିଁକି, କଲା କେ ବାରଣ ତାର ?

ନାହାନ୍ତି କି ଭକ୍ତକବି ଶ୍ରୀମଧୁସୂଦନ,

ଗଲେଣି କି ଛାଡ଼ି ସତେ ଏ ମର ଭବନ,

ଅମର-ବାଞ୍ଛିତ ସେହି ଅମୃତ ଆଳୟେ

ଅମୃତର ମନ୍ଦାକିନୀ-ଧାରା ଯହିଁ ବହେ ।

ନାହିଁ ତହିଁ ପାପ ତାପ ଜରା ବା ମରଣ

ସଂସାର ବିଭୀଷିକା, ଶୋକ ଅକାରଣ ।

ଥିଲ ଭକ୍ତକବି ତୁମ୍ଭେ ଅମୃତ ସନ୍ତାନ

କରୁଅଛ ବିଭୁ ପାଦ-ପଦ୍ମେ ସୁଧାପାନ ।

ବସି ପାଶେ ଶଣୁଥିଲୁଁ ଅମୃତ ସଙ୍ଗୀତ

କେଉଁ ଦୋଷୁଁ କଲ କହ ସେ ସୁଖୁଁ ବଞ୍ଚିତ ?

Image

 

ଫକୀରମୋହନ

 

ବଦରିକାଶ୍ରମେ ବସି ବ୍ୟାସ ମହାକବି

ରଚିଛନ୍ତି ସଂସାରର ଯେ ମୋହନ ଛବି

ଯୋଗାସନେ ବସି ପରା ତା’ ଅନୁକରଣ

କରି ଚିତ୍ରୁଥିଲ ଛବି ଫକୀରମୋହନ ।

ତମସାପୁଳିନେ ପୁଣି ତାମସୀ ନିଶିରେ

ବସି ଚୋର ରତ୍ନାକାର ବାଲ୍ମୀକି କୁଟୀରେ

ଚରଣ ମଞ୍ଚାଳି ତାଙ୍କ ବାଳ ରାମାୟଣ

ଶିଖିଥିଲ, କରି କେତେ ରାତ୍ରି ଜାଗରଣ ।

ନ ଥିଲା ମାନସ ତବ ନଗର ବିଳାସେ

ଧାଉଁଥିଲା ତେଣୁ ପଲ୍ଲି-ବାସିଙ୍କ ସକାଶେ ।

ଉପନ୍ୟାସ ଛଳେ କେତେ ପଲ୍ଲିଚାରୁଚିତ୍ର

ସଜାଇଛ ବ୍ୟାସକବି ଶୋଭଇ ବିଚିତ୍ର ।

ଆଶ୍ରମ-ନିବାସୀ କବି ବିଶ୍ରାମ ସେ ସ୍ଥାନେ

ନିବସନ୍ତି ଅନ୍ତେ ଯହିଁ ଯୋଗୀ ଋଷି ଜନେ ।

Image

 

ଗଙ୍ଗାଧର ମେହେର

 

ହେ ମେହର କବି, ତୁମ୍ଭ ଜନମ ସଫଳ,

ସଂସାରେ ସାର୍ଥକ କଲ ନାମ ଗଙ୍ଗାଧର ।

ସ୍ନେହ ବିନା ରୁକ୍ଷ ତବ ଜଟିଳ ମସ୍ତକେ ।

ଭାବ-ମନ୍ଦାକିନୀ ଧନୀ ନିବସେ ପୁଲକେ ।

ଅଭାବ ଭୁଜଙ୍ଗ ଶିରେ ପିନ୍ଧି କାବ୍ୟମଣି

ରାଜୁଥିଲା କଣ୍ଠେ ତୁମ୍ଭ କବି ଚୂଡ଼ାମଣି ।

ସରଳ ଉଦାର ପ୍ରାଣ ସହଜେ ପ୍ରସନ୍ନ

ଆଣି ନ ଥିଲା ସେ ଦିନେ ବିଳାସ ବ୍ୟସନ ।

ଭୁଞ୍ଜୁଥିଲ କବି । ବସି କଳ୍ପନା ମାଦକ,

କବିତା ଶକ୍ତିର ଥିଲ ଏକାନ୍ତ ସାଧକ ।

କଣ୍ୱ କୁଟୀରରେ କେବେ ତମସା ତୀରରେ

କେବେ ଛଦ୍ମବେଶୀ ଦୀନ-ପାଣ୍ଡବ ମେଳରେ

ଦିବାନିଶି ବସି କଲ କଠୋର ସାଧନା-

ଫଳେ ମୃତ୍ୟୁଞ୍ଜୟ ହେଲ ଆହେ ମହାମନା ।

Image

 

ଚିନ୍ତାମଣି

 

ସଂସାର ତିମିର ଗର୍ଭେ କବି ଚିନ୍ତାମଣି,

ଖୋଳୁଛ ହେ ଦିବାନିଶି ଭାଷା ରତ୍ନଖଣି ।

ଝରିପଡ଼େ ଶ୍ରମବାରି ନାହିଁ ତବ କ୍ଲାନ୍ତି

କାର୍ଯ୍ୟେ ରତ ଅବିରାମ କି ରାତି ପାହାନ୍ତି ।

ସଂଗ୍ରହିଣ କର୍ମୀ ବହୁ ଅମୂଲ୍ୟ ରତନ

ଗୁନ୍ଥିଲଣି କେତେ ହାର ନ ହୁଏ କଳନ ।

ପାଇଲେ ପୁରୁଣା ତହିଁ ଲାଗୁଛି କୁନ୍ଦନ

ନୂତନର ପୁଣି କେତେ ନୂତନ ମଣ୍ଡନ ।

ଉଜ୍ଜ୍ୱଳ ମଧୁର-ବିଭା ମଧୁର-ସମ୍ଭବା

ବଢ଼ାଉଛି ସୁଯତନେ ଜନନୀର ପ୍ରଭା ।

ଲେଖନୀ ମୂଳରୁ ବହୁ ଚିନ୍ତା-ସ୍ରୋତ ଧାରା

କରୁଛି ସରସ କବି । ଜନ୍ମଭୂମି ସାରା ।

ହେଲା କି ଭଗାରି ବ୍ୟାଧି ? ଭାବନା କାହିଁକି ?

ଖଣିର ଖନନ ଏକା ଓଷଧି ତହିଁକି ।

Image

 

ଉପେନ୍ଦ୍ର ଭଞ୍ଜ

 

ରାଜକବି ଉପଇନ୍ଦ୍ର କବିକୁଳଚନ୍ଦ୍ର,

ଖଳ ବୁଦ୍ଧି ରାହୁ ଦିନେ ଗରଜିଣ ମନ୍ଦ୍ର

ଧାଇଁଥିଲା ଗ୍ରାସିବାକୁ ତୁମ୍ଭ କଳେବର

ବ୍ୟର୍ଥ ମନୋରଥ ଦେଖି ଅମୃତ ଅନ୍ତର ।

ଆଦିରସ ଯୋଗୁଁ ଲୋକେ ଯଦିବା ଦୂଷିବେ

ନେଇ କାକୁ ଅତୀତକୁ ଗରବେ ଚାହିଁବେ

ଅତୁଳ ଉତ୍କଳେ ତୁମ୍ଭ ଛାନ୍ଦ ବିରଚନା,

ବିରାଜେ ସେ ଭାଲେ ତାର ଯେହ୍ନେ ଗୋରୋଚନା ।

ଥିଲ ସିଦ୍ଧହସ୍ତ କବି ପ୍ରକୃତି ଚିତ୍ରଣେ

ନ ଦେଖିଲି ଏ ଯାବତ ତୁମ୍ଭପରି ଜଣେ ।

ଅୟସ ଶୃଙ୍ଖଳ କିଛି କରନ୍ତେ ପେଷଳ

ତୁମ୍ଭ କରେ ବଢ଼ିଗଲା ଭାଷା ପରିସର ।

ଉତ୍କଳର କବିକୁଳେ ଖ୍ୟାତି ଅତିରେକ

ରହିଥିବ ଚିରଦିନ କ୍ଷୁର୍ଣ୍ଣ ନୋହି ରେଖ ।

Image

 

ଅଭିମନ୍ୟୁ ସାମନ୍ତ ସିଂହାର

 

ଲଳିତ କବିତାପିତା ସାମନ୍ତ ସିଂହାର

ଲାଳିତ୍ୟେ ମଣ୍ଡିଛ କବି, ବିଗ୍ରହ ଭାଷାର ।

ଯେତେ ପଢ଼ୁଥିଲେ ତୁମ୍ଭ କବିତା ନୂତନ

ହୁଏ ନାହିଁ କେବେ ତହିଁ ତୃପ୍ତି ସମ୍ପାଦନ ।

ଭାବମୟ ରାଜ୍ୟ ତୁମ୍ଭ ମଧୁର ସରଳ

ଦିବାନିଶି ଉଠେ ବଂଶୀ-କାକଳି ଲହର ।

ନୀଳଜଳବେଣୀ-ରମ୍ୟା କଳିନ୍ଦ-ନନ୍ଦିନୀ

ଧାଉଁଅଛି ନାଚି ନାଚି ପ୍ରେମେ ପାଗଳିନୀ ।

ଅଛନ୍ତି ସେ ଦେଶେ ଯେତେ ସ୍ଥାବର ଜଙ୍ଗମ

ସରବେ ବିହ୍ୱଳ ଶୁଣି ସ୍ୱନ ମନୋରମ ।

ବରଜ-କାମିନୀ ମେଳେ ମାଧବ ବାସନା

ରାଧା ଧନୀ କିପାଁ ଆଜି ବିରସ ବଦନା ?

ଉଠ ଭକ୍ତକବି ଥରେ ବଜାଅ ମୁରଲୀ

ଉଠୁ ରାଧା ବିରହିଣୀ-ହୃଦୟ ଚହଲି ।

Image

 

ଦୀନକୃଷ୍ଣ ଦାସ

 

ଦୀନକୃଷ୍ଣ ଦାସ ଦୀନ-ରଙ୍କୁଣୀ ରତନ

ଦରିଦ୍ର ଉତ୍କଳକୁଳେ ଶୁଭ କ୍ଷଣେ ଜନ୍ମ ।

ଦୃତସରସୀରେ ନାଚେ ସୁରସ କଲ୍ଲୋଳ

ଭାବ-ଶତଦଳ ତହିଁ ସତତ ଉଲ୍ଲୋଳ ।

ପାପ ତାପ କୀଟ ତହିଁ ନ ପାରେ ପରଶି

ବିଦୁର ତପନେ ପଦ୍ମ ଚାହିଁଛି ବିକଶି ।

ଦଳେ ଦଳେ ଶୋହେ ତହିଁ ସ୍ୱର୍ଗୀୟ ମାଧୁରୀ

ଦେଖାଇ ଜଗତେ ସ୍ରଷ୍ଟା-କଳ୍ପନା ଚାତୁରୀ ।

କବିବର କକାରାଦ୍ୟେ ରଚି ସବୁ ଛନ୍ଦ

ଭଞ୍ଜ କବି ସଙ୍ଗେ ସିନା ଲଗାଇଲ ଦ୍ୱନ୍ଦ ।

ମନେ ରଖିଥିବ କବି, ଭଞ୍ଜ ଉପଇନ୍ଦ୍ର

ନୁହନ୍ତି ସହଜ ସେ ତ କବିକୁଳ ଇନ୍ଦ୍ର ।

ଭକ୍ତ କବି ତୁମ୍ଭର ବା କିବା ଅଭିମାନ

ସାନ ବଡ଼ ତୁମ୍ଭଠାରେ ସବୁ ତ ସମାନ ।

Image

 

ଜଗନ୍ନାଥ ଦାସ

 

ଅତିବଡ଼ି ଜଗନ୍ନାଥ ଜଗନ୍ନାଥ ଦାସ,

କି ସୁଯୋଗେ ବିରଚିଲ ବୈଷ୍ଣବ-ବିଳାସ

ଭାଗବତ, ଆଜି ତାହା ଉତ୍କଳ କୁଟୀରେ

ଫୁଲଚନ୍ଦନରେ ରାଜେ ପୂଜା ଖଟୁଳୀରେ ।

ଉଡ଼ିଲା ବୈଷ୍ଣବ ଧର୍ମ ବିଜୟ ପତାକା

ଶାରଦ ଗଗନେ ଯେହ୍ନେ ଉଲ୍ଲାସେ ବଳାକା ।

ଧର୍ମର ଜଟିଳ ତତ୍ତ୍ୱ ଲୋକ ଅଗୋଚରେ

ଗୋପନେ ନିହିତ ଥିଲା ଶଇଳ ଗହ୍ୱରେ ।

ପଶିଣ ବୈଷ୍ଣବ କବି ତହିଁ ଯୋଗବଳେ

ସେ ତତ୍ତ୍ୱ କଣିକା ବାଣ୍ଟି-ଦେଲ ଘରେ ଘରେ ।

ସରଳ ମଧୁର ତବ ନବାକ୍ଷର ଗୀତି

ପଢ଼ି ଆଚାଣ୍ଡାଳ ସର୍ବେ ଲଭୁଛନ୍ତି ପ୍ରୀତି ।

ଅଛି କି ହେ କବି ଦିନ ଯେଦିନ ଉତ୍କଳେ

ନ ପଡ଼ଇ ତୁମ୍ଭ ନାମ ଗ୍ରାମ ଟୁଙ୍ଗୀ ଘରେ ।

Image

 

ମୃତ୍ୟୁଞ୍ଜୟ ରଥ

 

ଆଳସ୍ୟର ଚିତାଭସ୍ମ ବୋଳି ଅଙ୍ଗେ ସଦା

ପୂଜୁଥିଲ ରଥେ ବସି ସାରଦା ବରଦା ।

ଅଧ୍ୟାପନା ତୁମ୍ବୀ, ଧୀର, ବହି ଅଂସୋପରେ

ଉତ୍କଳର ରାଜଧାନୀ କଟକ ନଗରେ

ବୁଲି ବୁଲି ଘରେ ଘରେ ଭିକ୍ଷା ମାଧୁକରୀ

କରିଥିଲ ଜୀବନର ଚିର ସହଚରୀ ।

ସଂସ୍କୃତ ସାହିତ୍ୟ ସିନ୍ଧୁ ମନ୍ଥି ସୁଯତନ

ଗୋଟି ଗୋଟି ପାରିଜାତ ସରଗ ସୁମନ

ସଂଗ୍ରହି ଜନନୀ ଚାରୁ ଶ୍ରୁତି ଲତା ପରେ

ଖଚୁଥିଲ, ରାଜେ ତାହା ଆଜି ସମୁଜ୍ଜ୍ୱଳେ ।

ନୁଳିଆ ପରାୟେ ପଶି ଜଳଧି ବିତଳ

ଖୋଜୁଥିଲ ଜନନୀର ହଜିଲା-ସମ୍ବଳ ।

ଛାଡ଼ି ସବୁ ସୁଖ ଶାନ୍ତି ବିଳାସ ବାସନା

ବାଣୀ ଆରାଧନା ଥିଲା ଏକାନ୍ତ ସାଧନା

Image

 

ଗୋପୀନାଥ ନନ୍ଦ

 

ଚାଲିଗଲ ନନ୍ଦେ କେଉଁ ରାଇଜେ ଅଜଣା,

ପଡ଼ି ତ ରହିଲା ପଛେ ଭାଷା ଗବେଷଣା ।

ନୟନ ଭ୍ରୁକୁଟି ପୁଣି ନାସିକା କୁଞ୍ଚନ

ଅବଲୋକି ସହି ଖଳ-ବଚନ ଦଂଶନ ।

ଧୀରମଣି ! ଶବ୍ଦ ତତ୍ତ୍ୱ-କୁଟିଳ ଗହ୍ୱରେ

ପଶିବ କିଏ ସେ ଆଉ ଦମ୍ଭ ହୃଦୟରେ

ଭୁଲି ତୁମ୍ଭ ସମ କିଏ ଉଦର-ଜଞ୍ଜାଳ

କାଟୁଥିବ ଦିବା ନିଶି ଭାଷା ତନ୍ତ୍ର ଜାଲ ।

ଗୁଣୀ-ଗୁଣ ଗ୍ରହଣରେ ଗ୍ରାହକ ଚିହ୍ନରା

ନ ଦିଶେ ତୁମ୍ଭଙ୍କୁ କିଛି ଧଳା ଛଡ଼ା କଳା ।

ସାରଳାଲୋଚନା ଯେହୁ ପଢ଼ିଛି ଶୁଣିଛି

ଗୁଣମଣି । ତୁମ୍ଭଙ୍କୁ ସେ ହୃଦୟେ ଚିହ୍ନିଛି ।

ଜନନୀ ସାରଳା କୋଳେ ଥିଲ ସତ୍ୟବ୍ରତ

ହରାଇ ତୁମ୍ଭଙ୍କୁ ସେ ଯେ କାନ୍ଦୁଛି ନିୟତ ।

Image

 

ସାରଳା ଦାସ

 

ବୀଣାପାଣି ସାରଳାର ସରଳଭକତ ।

ଦୀକ୍ଷା କରିଥିଲା ସଦା ତାଙ୍କ ସେବାବ୍ରତ ।

ସାରଦା ବରଦା ତେଣୁ ସେବା ପୁଜାଫଳେ

ଦେଇଥିଲେ ବୀଣା ତୁମ୍ଭ କର-କମଳରେ ।

ଝଙ୍କଡ଼େ ସାରଳାପୀଠେ ହେ ଶୁଦ୍ର ମହର୍ଷି,

ସରଳ ତରଳ ସ୍ୱର ଢାଳୁଥିଲ ବସି ।

ଦ୍ୱୈପାୟନ କବି ତୁମ୍ଭେ ନାହିଁ ରବିତଳେ

ବିହରୁଛ ଋଷିମେଳେ ଏବେ ସରଗରେ ।

ତାଳେ ତାଳେ ନାଚି କିନ୍ତୁ ସେ ସ୍ୱର ଲହରୀ

ଯାଉଅଛି ଉତ୍କଳର ରନ୍ଧ୍ରେ ରନ୍ଧ୍ରେ ଚଳି ।

କି ଧନୀ ଦରିଦ୍ର ସର୍ବେ ଯାଉଛନ୍ତି ଭାସି

ପ୍ରଫୁଲ୍ଲମାନସେ ସଦା ପିଇ ସୁଧା ରାଶି ।

କର ସ୍ୱର୍ଚୁଂ ଆଶୀର୍ବାଦ ଆହେ ଶୁଦ୍ରମୁନି,

ଏ ଦୀନ ଉତ୍କଳ ପ୍ରତି ଏତିକି ମାଗୁଣି ।

Image

 

ଯଦୁମଣି

 

ନବଦୁର୍ଗ କୋଳେ କବି ! ଜନମ ତୁମ୍ଭର,

କି ଅବା ଏ ଖତକୁଢ଼େ ଫୁଟିଲା କମଳ !

ନୁହେ ଏ ବିଚିତ୍ର ଏ ତ ଜନମେ ପଙ୍କରୁ

ସରସ ରାଜୀବ-ସରେ ବିଧି ବିଧାନରୁ ।

ଥିଲା ତ ହୃଦୟ ବ୍ୟଙ୍ଗ କବିତା କୁଥୁଳି

ଖସି ପଡ଼ୁଥିଲ ତହୁଁ କେତେକ ଉଚ୍ଛୁଳି ।

ଦରିଦ୍ରତା କୀଟ ତୁମ୍ଭ ହୃଦ-ଶତଦଳ

କୋରି ଦେଉଥିଲା ଆହା ବସି ନିରନ୍ତର ।

ନିର୍ମମ ବିଷମ କୀଟ-ତୀବ୍ର ହଳାହଳ

ଝାଡ଼ି ଦେଉଥିଲ ପଢ଼ି ଶ୍ଲେଷୋକ୍ତି ମନ୍ତର ।

ସମସ୍ୟା ପୁରଣେ ତବ ଶକତି ଅପାର

ଯୋଡ଼ି ଦେଉଥିଲ ପଦ ଭିଡ଼ି ଏକ ଗାର ।

ଚାତୁର୍ଯ୍ୟେ ମାଧୁର୍ଯ୍ୟେ ଢାଳି ଚନ୍ଦ୍ରିକା ତରଳା

ରାଜଇ ‘‘ପ୍ରବନ୍ଧ ପୂର୍ଣ୍ଣ-ଚନ୍ଦ୍ର’’ ଷୋଳକଳା ।

Image

 

ବିଶ୍ୱନାଥ

 

ବାଳକ ବାଳିକା ମନ ଜାଣି ବିଶ୍ୱନାଥ ।

ହୃଦୟ କମଳେ ପୂଜି ସଦା ସୀତାନାଥ

କି ସୁଯୋଗେ ବିରଚିଲ ‘‘ବିଶି ରାମାୟଣ’’

ସରଳ ସୁତ୍ରରେ ଗୁନ୍ଥି ମଧୁର ରତନ

ଜନନୀ ଗଳାରେ ତାହା ରାଜି ସୁଯତନ

କିଣି ନେଉଅଛି ଆଜି ତୋଟିଜନ ମନ ।

ଶିଶୁପାବୃକ୍ଷର ଡ଼ାଳେ ହନୁ ମନେ ଭାଳେ

ବୋଲି ଚାଟେ ଟେକି ସ୍ୱର ପଢ଼ନ୍ତି ଯେ କାଳେ

ଅଶୋକକାନନେ ଆହା ରାଘବ ରମଣୀ-

କଥା ମନେ ପଡ଼ି ଝରେ ଲୋତକ ଧରଣୀ ।

ବହେ ପାଣୀପରି ତବ କବିତା ମାଧୁରୀ

ଛନ୍ଦିନାହିଁ ତାକୁ ଶବ୍ଦ-କାଠିନ୍ୟ ଚାତୁରୀ ।

ଛୋଟକରି ଆପେ ‘‘ବିଶି’’ ରଖିଅଛ ନାମ

ନୁହେ ଛୋଟ ସେ ତ ବଡ଼ ସ୍ନେହାଦର ଧାମ ।

Image

 

ବଳଦେବ ରଥ

 

ସଙ୍ଗୀତ-ନିକୁଞ୍ଜବନ-ବିହାରୀ ରସିକ,

କବିସୂର୍ଯ୍ୟ ବଳଦେବ ଦ୍ୱିଜବର ପିକ ।

କେଉଁ ଅତୀତ ରାଇଜେ ଅତୀତ ବସନ୍ତେ

ଗାଉଥିଲ ତୋଳିସ୍ୱର ପଞ୍ଚମେ ନିରତେ

ହୃଦୟ କମଳେ ସ୍ମରି ନିକୁଞ୍ଜ-ବିହାରୀ

ଅମୃତର ମନ୍ଦାକିନୀ-ଧାରା ପ୍ରାଣେ ଢାଳି ।

ସଉଧେ କୁଟୀରେ ଆଜି ସେ ମଧୁର ସ୍ୱର

ଢାଳେ ଢାଳେ ନାଚି ସୃଜେ ସଙ୍ଗୀତ ଲହର ।

ଚାଲିଛି ଗୋପାଳ ଘେନି ଗାଭୀ ବତ୍ସତରୀ

‘‘ଗଲାଣିତ ଗଲା କଥା’’ ବୋଲି ଡୁହା ଧରି ।

ଗାୟେ ଗୋଟିପୁଅ ରଙ୍ଗେ ପ୍ରକାଶି ଭଙ୍ଗିଟି

‘‘ଅତସୀ କୁସୁମ ସମ ଶ୍ୟାମ ମୁଁ ଗଲିଟି’’ ।

ଚିର ହାହାକାର ଏହି ନିଖିଳ ସଂସାର

ହେଲା ତୁମ୍ଭପକ୍ଷେ ସଦ୍ମ ସଙ୍ଗୀତ କଳାର ।

Image

 

ଚନ୍ଦ୍ର ଶେଖର

 

ଭାରତ ଗଗନ-ରବି ହେ ଚନ୍ଦ୍ରଶେଖର,

ଜ୍ୟୋତିଶ୍ଚକ୍ରୁ ବିଞ୍ଚିଦେଲ ମୟୁଖ ଭାସ୍ୱର ।

ଅତିକ୍ରମି ଭୂଭାରତ ଜ୍ୟୋତିଊର୍ମି ଲେଖା

ଗଲା ନାଚି ନାଚି ଖେଳି ଲଘିଂ ସୀମାରେଖା ।

ଧରି ଋଷିପ୍ରାଣ । ହସ୍ତେ କ୍ଷୁଦ୍ର ବେଣୁନଳ

ପରାଜିଳ ସଭ୍ୟ ଶୌଣ୍ଡ ବିଜ୍ଞାନ କୌଶଳ ।

ଦୂର ବିଦେଶୀଏ ଚିହ୍ନି ଗୌରବ ଗରିମା

କଲେ ପୂଜା ଛାଡ଼ି ସଭ୍ୟତା ବଡ଼ିମା ।

ହିଂସ୍ର ପଶୁସମ ଯାହା ନିଜ ସହୋଦର

ଆଚରିଲା, ଏହି ସିନା ବିଷାଦ କେବଳ ।

ଦରିଦ୍ରତା-ପଙ୍କେ ଥାଇ ସଦା ବିଜଡ଼ିତ

ଶାରଦ ପଙ୍କଜ ସମ ଥିଲ ଉଦ୍ଭାସିତ ।

ମାଟି ଘଟ ହେଲା ସିନା ଧୁଳିରେ ବିଲୀନ

‘ସିଦ୍ଧାନ୍ତ ଦର୍ପଣ’ କିନ୍ତୁ ଥିବ ଚିରଦିନ ।

Image

 

ବାସୁଦେବ ସୁଢ଼ଳଦେବ

 

ରାଜକବି ବାସୁଦେବ ବାମଣ୍ଡା ମଣ୍ଡନ

ପ୍ରକୃତିର ରାଜା ତୁମ୍ଭେ ପ୍ରକୃତି-ରଞ୍ଜନ ।

ସାଧନାର ଲୀଳାଭୂମି ଥିଲା ସିଂହାସନ,

ଜୀବନର ବ୍ରତ ଥିଲା କର୍ତ୍ତବ୍ୟ ସାଧନ ।

ଛାଡ଼ି ସପତଣୀ ବାଦ ଶ୍ରୀ-ବିଶ୍ୱ ଭାରତୀ

ବାନ୍ଧିଥିଲେ ଶ୍ରିୟା ସଙ୍ଗେ ବକ୍ଷେ ସୁବସତି ।

ବିଦ୍ୱାନ ମରାଳକୁଳ-ମାନସରୋବର

ଥିଲା ରାଜଧାନୀ ତୁମ୍ଭ, ପୁରୁଷପ୍ରବର !

ଧର୍ମଜ୍ଞ ନୀତିଜ୍ଞ ଆଉ ତୁମ୍ଭ ପରି ଜଣେ

ଦେଖିବ କି ରାଜକୁଳେ ଉତ୍କଳ ନୟନେ ?

ବିଜ୍ଞାନ-କଳା-କୁଶଳ ସାହିତ୍ୟ ରସିକ

ଥିଲା ସୁଢ଼ଳ ଭାବୁକ କବି ଦାର୍ଶନିକ ।

‘ଅଳଙ୍କାର ବୋଧୋଦୟ’’ କାବ୍ୟ ‘‘ଚିତ୍ରୋତ୍ପଳା’’

ରଖିଥିବ ଚିରଦିନ କୀର୍ତ୍ତି ସୁବିମଳା ।

Image

 

ଭକ୍ତଚରଣ ଦାସ

 

ତେଜି ବୃନ୍ଦାବନ ଏବେ ଗଲେଣି ମାଧବ,

ଲାଗିଅଛି ମଧୁପୁରେ ମଧୁର ଉତ୍ସବ ।

ଆସ କବି ବିରଚିତ ମଥୁରା ମଙ୍ଗଳ

ଚିତ୍ରି ସଙ୍ଗେ ସଙ୍ଗେ ଗୋପୀ-କୁଳ ଅମଙ୍ଗଳ ।

ମଣ୍ଡି ଲାଳିତ୍ୟେ ମିଳନ ବିରହ ପିତୁଳୀ

କା ଅଙ୍କିବ ତବବିନା କରେ ଧରି ତୂଳୀ ।

ଚାହିଁ ବସିଛନ୍ତି ମଧୁ-ପୁରେ ମୁଗ୍ଧାଙ୍ଗନା

ଆସ କବି ଛାଙ୍କିନେବ ହୃଦୟ ଭାବନା ।

ବରଜରମଣୀ ମେଳେ ବସିଣ ଉଦ୍ଧବ

ବ୍ୟାଖ୍ୟାକରୁଛନ୍ତି ବ୍ରହ୍ମ-ଜ୍ଞାନର ବିଭବ ।

ଗୋପୀ କଣ୍ଠେ ବସି ପ୍ରେମ-ଭକ୍ତିର ମହିମା

ପ୍ରଚାରିବ ଆସ ଭାଙ୍ଗି ଜ୍ଞାନର ଗରିମା ।

ଯଶୋଦା ଜନନୀମୁଖେ ବାତ୍ସଲ୍ୟ ମାଧୁରୀ

ଶିଖାଇବ ଆଉଥରେ ପ୍ରକାଶି ଚାତୁରୀ ।

Image

 

ରାମଚନ୍ଦ୍ର ଭଞ୍ଜ

 

କି ନିର୍ମମ ନିୟତିର କଠୋର ଶାସନ,

ଅକାଳ ଶିଶିରେ କଲା ପଙ୍କଜ ଦହନ ।

ସୌରଭ ଚହଟି ଆସୁଁ ବିକଶିତ କଳି

କେଡ଼େବେଗେ ବୃନ୍ତାସନେ କାହିଁଗଲା ଜଳି ?

ଚାହିଁଛି ଉତ୍କଳ ଲକ୍ଷ୍ମୀ ମଣ୍ଡି ହେବା ପାଇଁ ;

କିଏ ନେଇଗଲା ମଞ୍ଜୁ-କଞ୍ଜ ତା ଛଡ଼ାଇ ।

ଥିଲ ରାମଚନ୍ଦ୍ର ଭଞ୍ଜ ନାମ ଅନୁରୂପ,

ଏ କଳିଯୁଗରେ କିବା ରାମଭଦ୍ର ଦ୍ଭୂପ !

ରାମ-ରାଜ୍ୟ ହେବ ବୋଲି ଆଶାୟୀ ପରଜା

ଛିନାଇ ନେଲା ନିୟତି ଭାଙ୍ଗିଦେଇ ଗଜା ।

ଯେ ଛାଞ୍ଚରେ ଢାଳିଥିଲ ତୁମ୍ଭେ ରାଜତନ୍ତ୍ର,

ରହିଛି ସେ ଅଭାବ ତା ଜୀବନ୍ୟାସ ମନ୍ତ୍ର ।

ଥିଲା ଯେଉଁ ଅନୁରାଗ ଶିକ୍ଷୋନ୍ନତି ପ୍ରତି

ଝୁରୁଛନ୍ତି ଆଜି ତାହା ଉତ୍କଳ ସନ୍ତତି ।

Image

 

ତ୍ରିଭୁବନ ଦେବ

 

ଯୋଗ୍ୟ ପିତା-ଯୋଗ୍ୟ ପୁତ୍ର ଦେବ ତ୍ରିଭୁବନ

ରାଜନ୍ୟ ମୁକୁଟମଣି ଭୁବନାନନ୍ଦନ ।

ସୌଜନ୍ୟରେ ଥିଲ ପରା ପିତାଠାରୁ ବଳି,

ବନ୍ଧା ଥିଲେ ସ୍ନେହେ ତୁମ୍ଭ ପରଜା ମଣ୍ଡଳୀ ।

ସିଂହାସନ ନୁହେ ସ୍ଥାନ ଭୋଗ ବିଳାସର

ପାଇ ଏହି ଉପଦେଶ ପୂଜ୍ୟ ପିତାଙ୍କର

ମଣି ନିର୍ବିକାରେ ତାକୁ ସାଧନା ମଣ୍ଡପ

ଦିବା ନିଶି କରୁଥିଲ ରାଜ୍ୟ ସେବା-ଜପ ।

ବନ୍ଧା, ମନ୍ତ୍ରବଳେ ତୁମ୍ଭେ ତନୟ-ବତ୍ସଳା

ଥିଲେ ବରଦାଙ୍କ ସଙ୍ଗେ ଜନନୀ କମଳା ।

ତୁମ୍ଭ ପାଶେ ତେଣୁ ଦୀନ ଭାରତୀ ନନ୍ଦନ

ଘୁଞ୍ଚାଇ ଦୀନତା କରେ ଚିତ୍ତ ବିନୋଦନ ।

ସ୍ୱର୍ଣ୍ଣାକ୍ଷରେ ଲେଖିଅଛ ନାମ ‘‘ତ୍ରିଭୁବନ’’

କି ଗାଇବି ତବ ଗୁଣ ମୁଁ ତ ଅକିଞ୍ଚନ ।

Image

 

ଭଗୀରଥ

 

ଶୁଣାଅଛି ପୁରାଣରେ ଦିଲ୍ଲୀପ ନନ୍ଦନ

ସାଧନାର ବଳେ ତୋଷି ପଦ୍ମଭବ ମନ

ଆଣିଥିଲେ ବ୍ରହ୍ମଲୋକୁଁ ସାଧବୀ ଜାହ୍ନବୀ

ଲଘିଂ ବାଧା ବିଘ୍ନ କେତେ ଏ ମର ପୃଥିବୀ ।

ଆହେ ଭଗୀରଥ ତୁମ୍ଭେ କେଉଁ ମନ୍ତ୍ର ବଳେ

ତୋଷିଲ ବୈକୁଣ୍ଠେ ଯାଇ ଭକତ ବତ୍ସଳେ ?

ଆଣିଲ ରାଜ୍ୟକୁ ପଦ-କମଳୁ ଛଡ଼ାଇ ।

ଭାରତୀ କମଳା ଏକ ପଣତେ ଜଡ଼ାଇ ।

ତୁମ୍ଭ ତହୁଁ ହେଲା ରାଜ୍ୟ ତାଙ୍କ ଲୀଳାସ୍ଥଳୀ

ଭୁଞ୍ଜିଲେ ଅମର ସୁଖ ପରଜାମଣ୍ଡଳୀ ।

ତେଜି ପତ୍ର ବନବାସୀ କିରାତ ଶବର

ବାନ୍ଧି କଟିବାସ ହେଲେ ଆନନ୍ଦେ ବିହ୍ୱଳ ।

ହେଲାଣି ଶରୀର ତୁମ୍ଭ କାଳଗର୍ଭେ ଲୀନ,

ଘୋଷୁଥିବ ବ୍ରାହ୍ମୀ କିନ୍ତୁ ନାମ ଚିରଦିନ ।

Image

 

ଶୂରପ୍ରତାପ

 

ଆହେ ରାଜଋଷି ତବ ସରଳ ଉଦାର

ସାମ୍ୟ ସୌମ୍ୟ ମୂର୍ତ୍ତି ନେତ୍ରେ ଦେଖିଛି ଅପାର ।

ଆଜି ତା ମାନସ ପଟୁଁ ପାଶୋର ନ ଯାଏ

ସ୍ମୃତି ତ ପୁରୁବୁଁ ବଳି ତା ଜ୍ୟୋତି ବଢ଼ାଏ ।

ଦୟା କ୍ଷମା ପ୍ରୀତି ଥିଲା ହୃଦୟ ସମ୍ପଦ

ସୁବିସ୍ତୃତ ତେଣୁ ହୃଦ ଜିଣି ବିଷ୍ଣୁପଦ ।

ରାଜଲକ୍ଷ୍ମୀ କୋଳେ ବଢ଼ି ବିଳାସ ବ୍ୟସନ

ତେଜି ଯାପୁଥିଲ ସଦା ଉଦାସ ଜୀବନ ।

ଥିଲ ତ ବୈଷ୍ଣବ ତେଣୁ ନାମ କୀର୍ତ୍ତନରେ

ହୃଦୟ ରାଜ୍ୟରେ ତୁମ୍ଭ ଆନନ୍ଦ ନ ଧରେ ।

ଅଛି ରାଜ୍ୟେ, ଶୂର ! ସେହି ଦେବତା ମନ୍ଦିର

ତୃଣ ଗୁଳ୍ମେ ପଥ ଆଜି ହେଲାଣି ଜଟିଳ ।

ସୁକୃତି ଲଲାଟେ ପରା ନିୟତି ଲିଖନ,

ଜାରି କରେ ଅକାଳରେ ‘‘ଶମନ’’-ଶମନ ।

Image

 

ରାମଚନ୍ଦ୍ର ହରିଚନ୍ଦନ

 

ଆହେ ରାମଚନ୍ଦ୍ର ଶୂର ଶୌର୍ଯ୍ୟର ସୁମୂର୍ତ୍ତ

ଧରି ଜନ୍ମିଥିଲ ଭବେ କହେ ଜନଶ୍ରୁତି ।

ସାଗର ସମାନ ବପୁ ସଦା ଭୀମ କାନ୍ତ

ଦୁର୍ଦାନ୍ତ ଦମନେ ଥିଲ ଭୟଦ ଏକାନ୍ତ ।

ଜାଣି ସେ ଆସ୍ଥାନ ଗୁଣ-ରତ୍ନ ପ୍ରକରର

ସୁଧୀବୃନ୍ଦ କରୁଥିଲେ ସେବା ନିରନ୍ତର ।

ଯା’ ଉପରେ ତୁମ୍ଭ ରକ୍ତ-ନୟନ ପଡ଼ିଲା

ବୋଲନ୍ତି ସକଳେ ତାର କପାଳ ଫିଟିଲା

ଦୟା ଦେବୀ ଆସି ସିନା କ୍ରୋଧ ପଛେ ପଛେ

ଦୁଃଖିର ନୟନ ବାରି ପୋଛି ଦେଇ ବସେ

ହୃଦ-ସିଂହାସନେ ସ୍ଥାନ ନ ଥିଲା ଲୋଭର,

ହୁଏ ନାହିଁ ତେଣୁ ଦୁଃସ୍ଥ-ଯାଚଞ୍ଜା ବିଫଳ ।

ନିତ୍ୟଧାମେ ବସି ଦେଖ ସେହି ପୁଣ୍ୟ ଫଳ

ଭୁଞ୍ଜନ୍ତି କେସନ ସୁଖେ ତୁମ୍ଭ ବଂଶଧର ।

Image

 

ସୁଦାମଚରଣ ନାୟକ

 

ଲାଭ କଲ କର୍ମବଳେ ପଦବୀ ମହତୀ

ହୃଦୟ ଦେଶେ ଅତୁଟ ଥିଲା ରାଜଭକ୍ତି ।

କଟୁ ବଚନରେ କାକୁ ଦେଇ ନାହିଁ ଦୁଃଖ,

ରୋଷ-କଷାୟିତ କେହି ଦେଖି ନାହିଁ ମୁଖ ।

ଲୋକଙ୍କୁ ଚିହ୍ନିବା ଲାଗି ଚିହ୍ନରା ଗ୍ରାହକ

ବୋଲି ରହିଥିଲା ତୁମ୍ଭ ଖ୍ୟାତି ଅତିରେକ ।

ପାଶେ ଯାଇଁ ହେଲେ କେହୁ ଯୁବକ ପ୍ରବେଶ

ଚିପିଣ ନାଟିକା ତୁମ୍ଭେ ଦିଅ ଉପଦେଶ ।

ଉତ୍କଳ ଜନନୀ ଦୁଃଖେ ହୁଏ ଅଶ୍ରୁପାତ

ଦେଶସେବା କାର୍ଯ୍ୟେ ତେଣୁ ଲାଗିଥାଏ ହାତ ।

କେ ଜାଣି କାହିଁକି ବିଧି କରିଲା ପ୍ରତାପ,

ଚିରଦିନ ପାଇଁ ଲିଭି-ଗଲା କୂଳଦୀପ ।

ବସିଣ ଅମରଧାମେ ଉତ୍କଳ ଭୂମିକି

ପକାଇବ ନାହିଁ କି ଏ ପ୍ରସନ୍ନ ଦୃଷ୍ଟିକି ?

Image

 

ମଧୁସୂଦନ ଦାସ

 

ଉତ୍କଳର ପୂଜ୍ୟପାଦ ଭୀଷ୍ମ ପିତାମହ

ଜନନୀର ସେବା ବ୍ରତେ ବ୍ୟସ୍ତ ଅହରହ ।

ସାଂସାରିକ ସୁଖ ଭୋଗେ ଦେଇ ଜଳାଞ୍ଜଳି

ଲାଗିଥିବ କିଏ କାର୍ଯ୍ୟେ ଆଉ ତୁମ୍ଭପରି

ଆର୍ଯ୍ୟ, ଉତ୍କଳ-ମିଳନ-ମେଳା-ପ୍ରବର୍ତ୍ତକ,

ଦେଖୁନାହିଁ ତୁମ୍ଭସମ ଏକାନ୍ତ ସାଧକ ।

ମାତା ବ୍ୟବଚ୍ଛେଦ ଅଙ୍ଗ ଯୋଡ଼ିବା ପାଇଁ କି

କେତେ ଯତ୍ନ, କିନ୍ତୁ ବିହି ବିରୋଧ ତହିଁକି ।

ପଚାଅଙ୍ଗ, ନୁହେ ସେହି କରମ-କୁଶଳ

ତେଣୁ ହେଲା, ଆର୍ଯ୍ୟ, ସବୁ ପ୍ରଯତ୍ନ ବିଫଳ ।

ଜୀଇଁଲେ ସେ ଅଙ୍ଗସବୁ ଆପେ ଯୋଡ଼ିହେବ,

ଭାବିଲେ ଚିନ୍ତିଲେ ଆଉ କିଏ ଯୋଡ଼ି ଦେବ ?

ଚିରଦିନ ‘‘ମଧୁବାବୁ’’ ସାଧାରଣଙ୍କର

ଥାଇ ପଛକୁ ଅଖ୍ୟାତି ବୋହିଲ ସ୍କନ୍ଧର

Image

 

ଗୋପାଳ ପ୍ରହରାଜ

 

ପ୍ରହରାଜେ, ଏବେ ଆଉ ନୀରବ କାହିଁକି,

ନନାଙ୍କ ବସ୍ତାନି ଥରେ ଫିଟିବ ନାହିଁ କି ?

ସାରୁ ଆଳୁ ବାଇଗଣ ବଜାରେ ଦେବାର

କିଏ ସେ ବୁଝିବ ତାର ହିସାବ ଭେବାର ?

ଅସହଯୋଗର ଢେଉ ଖେଳି ଖେଳି ରଙ୍ଗେ

ଠେଲି ନିଏ କେତେ ବହୁରୂପା ତା ତରଙ୍ଗେ

ମୁନିପରି ତୁନି କିଆଁ, ପାଞ୍ଜୀରେ କି ଗାର

ପଡ଼ିବ ନାହିଁ କି ଦିନେ ହେଳେ ହେଲେ ତାର

ବଜାରରେ ଥିଲାବେଳେ ଦୂର ଟୁଙ୍ଗୀ କଥା

ଚିତ୍ରୁଥିଲ ରଙ୍ଗେ କେତେ ଯୋଡ଼ି ତହିଁ ଲଥା

ଏବେ ଟୁଙ୍ଗୀଘରେ ବସି ନିଃଶବ୍ଦ କାହିଁକି,

ରାମକାଠି ତାଳ କର୍ଣ୍ଣେ ଶୁଭିଲା ନାହିଁ କି ?

ଜଣା ନ ପଡ଼ଇ ହାଟେ ହାଟ କାରବାର

କହିଛନ୍ତି ବଡ଼ଲୋକେ, ଏହି ନୀତି ସାର ।

Image

 

ପ୍ୟାରିମୋହନ

 

ଜନନୀ ପଣତ ଧନ ପିଆରି ମୋହନ ।

ହଜିଲା ଦିନରୁ ଖୋଜି ଖୋଜି ଅନୁକ୍ଷଣ;

ପାଉ ନାହିଁ ଜନନୀ ତା ଅବା ତା ସମାନ

ଅଞ୍ଚଳର ନିଧି ତେଣୁ ଶୋକେ ମୁହ୍ୟମାନ ।

ନାହିଁ ସେ ପରଶମଣି ମର ଜଗତରେ,

ଲୋଳୁଛି ସେ ଯାଇ ବିଭୁ ପଦ୍ମ ପାଦ ତଳେ ।

ବଜ୍ରଠାରୁ କଠିନ ସେ କୋମଳ ତା’କାନ୍ତି,

ତା’ ପ୍ରଭା ପ୍ରଭାବେ ଯେହ୍ନେ ପାହିଯାଏ ରାତି ।

ନାହିଁ ସେହି ମଣି ସତ ଅଛି ତା କିରଣ

ପରଶେ ତା ଶତ ଶତ ଅୟସ୍କ କାଞ୍ଚନ ।

ହେ ଦେବତ୍ମା, ଜାଣେ ତୁମ୍ଭେ ରହି ସ୍ୱରଗରେ

ରଖିଅଛ ଶୁଭଦୃଷ୍ଟି ଏ ଦୀନ ଉତ୍କଳେ

ଚାହିଁଛ ପ୍ରସନ୍ନନେତ୍ରେ ‘‘ଏକାଡ଼େମି’’ ପ୍ରତି

ବଢ଼ୁଛି ଦିନକୁ ଦିନ ତେଣୁ ତା ଉନ୍ନତି ।

Image

 

ଗୌରୀଶଙ୍କର ରାୟ

 

କର୍ମ ଘେନି ଜଗତରେ ମାନବ ଜନମ,

ଜୀବନ୍ତ ମରଣ ତାର ନାହିଁ ଯାର କର୍ମ ।

କର୍ମଯୋଗୀ, ଦୀକ୍ଷା ନେଇ ଏ ଶିକ୍ଷା ମହତୀ,

ଆମରଣ ଥିଲ କର୍ମେ ନିରନ୍ତର ବ୍ରତୀ ।

ଅଦମ୍ୟ ଉତ୍ସାହ ଢେଉ ହୃଦୟରେ ଖେଳେ

ବାଧାବିଘ୍ନ ସବୁ ତେଣୁ ଭାସିଯାଏ ହେଳେ ।

ଦେଇଥିଲ କର୍ମପୀଠେ ନିଜ ସ୍ୱାର୍ଥ ବଳି

ଦେଶସେବା ବ୍ରତେ ଲାଗି କର୍ମକୁ ଆଦରି ।

ହୃଦୟରେ ତିଳେ ହେଲେ ନ ଥିଲା ବିକଳ୍ପ,

ସାଧିଲ ଜୀବନେ ତେଣୁ ସେ ପୁଣ୍ୟ ସଂକଳ୍ପ ।

ପ୍ରକାଶି ଦୀପିକା ଶୁଭେ ପୁରୁଷପ୍ରବର,

ଘୁଞ୍ଚାଇଲ ଜନନୀର ଅନ୍ଧାରୀ ପଟଳ ।

ଖୋଦିତ ରହିଲା ନାମ, ଯଶର ମନ୍ଦିରେ

ଦୀପିକା ଫଳକେ, କର୍ମ, ସୁବର୍ଣ୍ଣ ଲିପିରେ ।

Image

 

ବିଶ୍ୱନାଥ ମହାପାତ୍ର

 

ଶ୍ମଶାନନିବାସୀ ଦେବ ଶଙ୍କର ସମାନ

କଟିଯାଏ ତପସ୍ୟାରେ ତୁମ୍ଭ ଦିନମାନ

କେତେ ଯେ ପ୍ରବଳ ବାତ୍ୟା ବହିଯାଏ ଖରେ,

ଖରା ବର୍ଷା ଶୀତ କେତେ ବାଜୁଛି ଅଙ୍ଗରେ ।

ତିଳେହେଁ ଭ୍ରୂକ୍ଷେପ ନାହିଁ ତହିଁକି, ସାଧକ,

କରୁଛ ସାଧନା ବସି ମନ ମୁତାବକ ।

‘‘ସରସ୍ୱତୀ ବିଳାସରେ’’ ବିଳାସୀ ରସିକ,

ନୀଳାଦ୍ରି-ବିହାରୀ-କାଞ୍ଚୀ-ଯାତ୍ରା-ସଂଯାତ୍ରୀକ ।

ସରଳ, ଉଦାର, କଣ୍ୱ-କୁଟୀର-ନିବାସୀ,

କଣ୍ୱକନ୍ୟା-ଚାରୁଚିତ୍ର-ଅଙ୍କନ ଲାଳସୀ ।

ସଂସ୍କୃତସାହିତ୍ୟ, କାବ୍ୟ ନାଟକାଳଙ୍କାର-

ଧନେ ପୂର୍ଣ୍ଣ, ଦ୍ୱିଜ, ତୁମ୍ଭ ଦରିଦ୍ର ଭଣ୍ଡାର ।

ପଦ୍ମାସନେ ବସି, ଧୀର, ନୀଳଚକ୍ର ତଳେ

ବାଣ୍ଟି ଦେଇଛ ସେ ଧନେ ମାଣବକଦଳେ ।

Image

 

ବ୍ରଜସୁନ୍ଦର ଦାସ

 

ଭୋଗବିଳାସର କ୍ରୋଡ଼େ ବଢ଼ି କେତେ ଜଣ

ମାତୃଭୂମି ସେବା ବ୍ରତେ ଯାପନ୍ତି ଜୀବନ ?

ବିଳାସ ବ୍ୟସନ ତାଙ୍କ ଜୀବନର ଧର୍ମ,

ଆଳସ୍ୟର କୀଟ ସଦା କାଟୁଥାଏ ମର୍ମ ।

ନୀତି ସମ୍ପାଦନେ ତାଙ୍କୁ ସମୟ ନ ମିଳେ,

ପରଦୁଃଖ ଭାବିବାକୁ ବେଳ କାହିଁ ତିଳେ ?

ଅଭାବ ତ ନାହିଁ କିଛି ହେ ବ୍ରଜସୁନ୍ଦର,

ପରଦୁଃଖେ ନେତ୍ରେ କିପାଁ ଅଶ୍ରୁ ଢ଼ଳ ଢ଼ଳ ।

ନିଜ ଲାଗି ନୁହେ ପରା ମହତ ଜୀବନ

ବୁଝି ନିଜେ କଲ ନିଜ ଅଭାବ ସୃଜନ ।

ହେ ମହାନ୍‌,କି ସୁନ୍ଦର ସରସ ଅନ୍ତର

ବାଳକ ହୃଦୟ ସମ ମଧୁର ସରଳ ।

ଶିକ୍ଷା କୃଷି ଶିଳ୍ପ ଲାଗି ଯାପ ହେ ଜୀବନ,

ସହିବ ନା ପ୍ରକୃତିକି ଅନ୍ୟ ଆନ୍ଦୋଳନ ।

Image

 

ଗୋପବନ୍ଧୁ ଦାସ

 

ଉତ୍କଳ ଗୌରବ ଧନ ଦୁଃଖିନୀ ସଂଖାଳି !

ଝରେ ଅହରହ କିପାଁ ନୟନରୁ ବାରି ?

ବାସହୀନ ଦୁଃସ୍ଥ ଶୀତ-ବିକମ୍ପିତ ନାଟ

ବୁଭୁଷା-ବିକଳ-ଦୁଃଖି-କରୁଣ କୁହାଟ

ଦେଖି ଶୁଣି ହୃଦ ତୁମ୍ଭ ପଡ଼ୁଅଛି ଭାଙ୍ଗି,

ସୁଖ ନାହିଁ ଶାନ୍ତି ନାହିଁ ମୂହୂର୍ତ୍ତକ ଲାଗି ।

ଏଥିପାଇଁ ସହୁଅଛ କେତେ ନିର୍ଯ୍ୟାତନା,

ଯାତନା ନୁହେ ସେ ପରା ହୃଦୟ କାମନା ।

ଘଷି ହୋଇ କଷଣରେ କଷଟି ପଥରେ

ତନୁ ଶୀର୍ଣ୍ଣ କିନ୍ତୁ କାନ୍ତି ପ୍ରସରେ ଉଜ୍ଜ୍ୱଳେ ।

ଯେ ମୋହନ ବୀଣା ବାଜେ ହୃଦୟ ମନ୍ଦିରେ

ବିଞ୍ଚୁଛ ତା’ ସ୍ୱରବୀଚି ସମାଜେ କୁଟୀରେ ।

ସେ ଅମୃତ ଢ଼େଉ ପୁଣି ଖେଳି ଖେଳି ରଙ୍ଗେ

ମାଙ୍କଡ଼ା ପଥର ଦିନେ ନଚାଇବ ସଙ୍ଗେ ।

Image

 

କଳ୍ପତରୁ ଦାସ

 

ଧୀରମଣି । ଚିତ୍ତ ତୁମ୍ଭ ପ୍ରଶାନ୍ତ ଉଦାର,

ଦେଖି ନାହିଁ କେହି ତହିଁ କ୍ରୋଧର ସଞ୍ଚାର,

ସରଳ ହୃଦୟ ତହିଁ ନ ଥିଲା କପଟ,

ଖାଣ୍ଟି ମରହଟି ପୁଣି ନୂତନ ନିପଟ ।

ପ୍ରାଚ୍ୟ ସଭ୍ୟତାର ସଙ୍ଗେ ପାଶ୍ଚାତ୍ୟ ମିଳାଇ

ଦେଉଥିଲ ଖାଣ୍ଟି କିଏ ଖାଦ ବା ଦେଖାଇ ।

ତଉଲିଣ ନିକିତିରେ ନବୀନ ପ୍ରାଚୀନ

ଘେନୁଥିଲ ତାହା ବୁଝି ଯାହା ସମୀଚୀନ ।

ନ ହୋଇ ଚଞ୍ଚଳ, ଧୀର, ଇତର ସମାନ

ଭାବି ଚିନ୍ତି କରୁଥିଲ ତୁମ୍ଭେ କାର୍ଯ୍ୟମାନ ।

ନୀରବ ସାଧକ ଥିଲ ସ୍ୱଦେଶ ସେବାର,

ନ ଥିଲା ସ୍ୱଭାବ ତୁମ୍ଭ ଦେଖାଇ ହେବାର ।

ଥିଲ ଆୟୁର୍ବେଦ ବିଦ୍ୟା-ପୀଠ ପ୍ରତିଷ୍ଠାତା

ରହିବ ତା ସଙ୍ଗେ ନାମ ବାନ୍ଧି ଖ୍ୟାତି-ଖ୍ୟାତା ।

Image

 

ଭିଖାରିଚରଣ

 

କରଣକୁଳ-ତିଳକ ଭିଖାରି ଚରଣ

କରଣ ସାମନ୍ତେ କିପାଁ କଟାକ୍ଷ ଭାଷଣ ?

ବାପ ଅଜା ଢ଼ମ କାର ହାଟ ବଜାରରେ

ବିକାଇବ ନାହିଁ ପୂର୍ବ-ପ୍ରଚଳିତ ଦରେ ।

ଜାଣି, ବିଜ୍ଞ, ପୂର୍ବ, କରା-ଉଚ୍ଛ ସାବଧାନ

ତ୍ୟଜିବାକୁ ଫମ୍ପା ପେଟ-ଫୁଲାଣିଆ ମାନ ।

ରହସ୍ୟ ରସିକ କରି ! କଣ୍ଠ ଆଭରଣ

କରିଅଛ କେତେ ଶ୍ଳେଷ ରହସ୍ୟ ବଚନ

କବିତା ପ୍ରବାହେ ତାହା କୌତୁକ ତରଙ୍ଗେ

ନିଅଇ ଭସାଇ ବହୁ ଆବର୍ଜନା ରଙ୍ଗେ ।

ଉତ୍କଳ ଜନନୀ ପେଟ-ବିକଳ କାନ୍ଦଣା

ଶୁଣି କରୁଅଛ ଏଣ୍ଡି-ପୋକ ଗବେଷଣା,

ଦୀନ ଦୁଃସ୍ଥ ସେବା ବ୍ରତ ନୀରବ ସାଧନା,

ଅନ୍ୟପକ୍ଷେ ଦୀନବନ୍ଧୁ ପ୍ରିୟ ଆରାଧନା ।

Image

 

ସଦାଶିବ

 

ଦ୍ୱିଜକୁଳ ଶିରୋମଣି ପଣ୍ଡିତ ପ୍ରଚର !

ବୋହିଅଛ ଭିକ୍ଷାଝୁଲି କାହିଁକି ସ୍କନ୍ଧର ?

ବୁଲି ବୁଲି ବାରଦ୍ୱାର ଦିନ ନ ଅଣ୍ଟଇ

ଖଟି ଖଟି ଏତେ କିବା ପେଟ ନ ପୂରଇ ?

ବିନା କୁଟୁମ୍ବରେ ତୁମ୍ଭ କୁଟୁମ୍ବ ଜଞ୍ଜାଳ

ଚଢ଼େ ଦିନୁଦିନ, ବିଜ୍ଞ, ଏ କି ଚମତ୍କାର !

ବପୁ ଅନୁରୂପ ହୃଦ ମହତ ଉଦାର

ମଣିଛ ବସୁଧା ତେଣୁ ଏକ ପରିବାର

ଦୀନଜନ ବନ୍ଧୁ ! ଦୀନ-ଜନ ଶିକ୍ଷା ଲାଗି

ଯାପୁଛ ଜୀବନ, ଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ।

କିଏ ପ୍ରୀତ ନୁହେ ତୁମ୍ଭ ପ୍ରୀତି ବ୍ୟବହାରେ ?

ପରିଚିତ ତେଣୁ ଦେଶେ ଦେଶର ବାହାରେ ।

ସମାଜେ ଉଦାର ନୀତି ପ୍ରଚଳନ ପାଇଁ

ସହୁଛ ଭ୍ରୂକୁଟି କେତେ କଳନା ତା ନାହିଁ ।

Image

 

ଆଚାର୍ଯ୍ୟ ହରିହର ଦାସ

 

ବକୁଳ କାନନେ ବସି ଉଟଜ ପ୍ରାଙ୍ଗଣେ

ଶ୍ରୀଫଳ ପଲାଣ ପାତି ଶିକ୍ଷାର୍ଥୀ-ଗହଣେ

ବ୍ୟାଖ୍ୟା କରୁଅଛ ଧୀର ନବ୍ୟଯୁଗ ବାଣୀ

ପ୍ରଚାରିଣ ଆର୍ଯ୍ୟଋଷି-ପୁରାଣ କାହାଣୀ

କରିଛ ଜୀବନେ ପୁତ-ସେବା ବ୍ରତ, ଦୀକ୍ଷା,

ହେ ଋଷିପ୍ରତିମ, ଶିଷ୍ୟ ଦେଉଛ ସେ ଶିକ୍ଷା

ଶିଷ୍ୟ ଜନ ପ୍ରତି ତୁମ୍ଭ ଗୌରବ ଅତୁଳ,

ପ୍ରବହିତ ହୁଏ ହୃଦେ ସଦା ସ୍ନେହ ପୁର ।

ସୁଧାହାସେ ପରିପୂର୍ଣ୍ଣ ପ୍ରସନ୍ନ ବଦନ,

ନ ପାଏ ପ୍ରକାଶ ତହିଁ ବିରକ୍ତି ଲକ୍ଷଣ ।

ଯେ ପାଏ ପ୍ରକାଶ ତହିଁ ବିରକ୍ତ ଲକ୍ଷଣ ।

ଯେ ଯେତେ ପଚାରେ ତାକୁ ମନ ନେଇ ତାର

ଅକୁଣ୍ଠେ ବୁଝାଇ ଦିଅ ହର୍ଷେ ତେତେ ବାର ।

ତୁମ୍ଭ ପରି ସହିବ କେ ବାଳକଙ୍କ ଅଳି,

ଶିଖାଉଛ ଗୁରୁ ଶିଷ୍ୟ-ସମ୍ବନ୍ଧ କି ଭଳି ।

Image

 

କାଳିଦାସ

 

ଭାରତୀ ଜନନୀ କର-କମଳ ଲାଳିତ,

ସହଚରୀ କଳ୍ପନାର କୋଳ ବିଳସିତ

ଭାବମୟୀ ପ୍ରକୃତିର ଅମର ନନ୍ଦନ

କୋଟିଜନ ମନ ପ୍ରାଣ ଆନନ୍ଦ ବର୍ଦ୍ଧନ,

କବିତା ନିକୁଞ୍ଜବନ-ବସନ୍ତ କୋକିଳ,

ଦିନେ ମଧୁ କଣ୍ଠେ ଯେଉଁ ସ୍ୱର ଢାଳିଥିଲ

ନିତ୍ୟ ନୂତନ ପ୍ରବାହେ ଭାରତ ବକ୍ଷରେ

ବହୁଛି ତା ନାଚି ନାଚି ଲହରେ ଲହରେ ।

ମିଶିଯାଏ ପଞ୍ଚଭୂତ ପଞ୍ଚମହାଭୂତେ

କାଳର କରାଳବଳେ କାଳେ ଅଦଭୂତେ

କିନ୍ତୁ ମେଘଦୂତ ଅଭି-ଜ୍ଞାନ ଶକୁନ୍ତଳ

ବସିଛନ୍ତି ଏଡ଼ି ତାର କରାଳ କବଳ ।

ବିକ୍ରମ-ଉର୍ବଶୀ ରଘୁ କୁମାର-ସମ୍ଭବ

ଭାଙ୍ଗିଦେଉଛନ୍ତି ତାର ସବୁ ଗର୍ବ ଦମ୍ଭ

Image

 

ଭବଭୂତି

 

‘‘ଯେତେ ଶୁଦ୍ଧ ହେଉ ପଛେ ରଚନା ତୁମ୍ଭର

ନିନ୍ଦା କରିବାକୁ ଲୋକେ ସର୍ବଦା ତତ୍ପର

ନାରୀ ଆଉ ବାଣୀ ଦୁହି-ଙ୍କର ସାଧୁପଣ

ନ ମାନି ନିନ୍ଦନ୍ତି ସଦା ସକଳ ଦୁର୍ଜନ ।’’

ବୁଝି ଏ ନିରାଟ ସତ୍ୟ କବିଚୂଡ଼ାମଣି ।

ମୂଢ଼ ଖଳ ପରପଞ୍ଚ ଅବଜ୍ଞା ନ ଗଣି

ଦେଇଣ ନିଜକୁ ତୁମ୍ଭେ ନିଜେ ଆଶ୍ୱାସନା

କରୁଥିଲ ନରନାରୀ-ଛବି କଳପନା ।

ପ୍ରେମ କରୁଣାର କବି, ହେ ଶ୍ରୀକଣ୍ଠ ଧୀର

ହୃଦୟ ତୁମ୍ଭର ଅତି ଉଦାର ଗମ୍ଭୀର ।

ଖରରୟ ନୁହେ ତୁମ୍ଭ କବିତା ପ୍ରବାହ

ମୃଦୁଳ ମନ୍ଥର ଗତି, ମୃଦୁ ଭବମୟ ।

ଶବ୍ଦବ୍ରହ୍ମ-ଅନୁଭବି ! ଶବ୍ଦର ଯୋଜନ

ମନେହୁଏ ଯେହ୍ନେ ତବ ନିକିତ ଓଜନ ।

Image

 

ସୀତା

 

ତମସା ପୁଲିନେ ଋଷି-ଉଟଜ ଅଙ୍ଗନେ

ଉଷା କାଳେ ଉଭା ସତୀ ପ୍ରଶାନ୍ତ ବଦନେ ।

ସମ୍ମୁଖେ ଖେଳନ୍ତି ଶିଶୁ ଦୁଇଟି ଆନନ୍ଦେ

ଓଷ୍ଠେ ଦରଫୁଟ ହାସ ଶୋହେ ମନ୍ଦେ ମନ୍ଦେ ।

ଶିଶୁ ଶ୍ୟାମ ତନୁ ପୁଣି ହାସ ମାଧୁରୀରେ

ଦେଖି ରାମଭଦ୍ର ରୂପ ଅପୂର୍ବ ଜ୍ୟୋତିରେ

ସତୀ ତପସ୍ୱିନୀ ହେଲେ ଧ୍ୟାନନିମଗନା

ବକ୍ଷେ ଥୋଇ କରଯୁଗ ପ୍ରେମାଶ୍ରୁ ନୟନା ।

ଅଶୋକ କାନନ ପୁଣି ବନ ନିର୍ବାସନ

ସେ ଧ୍ୟାନେ ସେ ଚିନ୍ତା ବୁଡ଼ି-ଯାଏ ଅନୁକ୍ଷଣ ।

ଚିତ୍ରୁ ଯେ ଚିତ୍ରିବ ସୀତା-ବିରହ-ଗୀତିକା

ବିଚ୍ଛେଦରଙ୍ଗର ତାର ରଞ୍ଜାଇ ତୁଳିକା,

କିନ୍ତୁ ଆଦି କବି ସୀତା-ହୃଦ ରାମମୟ

ପାଇବ ସେ ହୃଦେ ସ୍ଥାନ କାହୁଁ ବା ବିରହ ?

Image

 

ରାମଚନ୍ଦ୍ର

 

ପିତୃସତ୍ୟ ଲାଗି, ଭଦ୍ର, ତ୍ୟଜି ସିଂହାସନ,

କଲ ଚତୁର୍ଦ୍ଦଶ ବର୍ଷ କାନନେ ଯାପନ ।

ଯତିବେଶେ ସହି କେତେ ଖରା ବର୍ଷା ଶୀତ,

ପ୍ରେୟସୀ ବିରଦେ ଶେଷେ ହୋଇ ପ୍ରପୀଡ଼ିତ ।

ରାଜ୍ୟଲୋଭେ ଆହା କେତେ କ୍ଷତ୍ରିୟ ନନ୍ଦନ

କରିଥାନ୍ତି ପିତୃହତ୍ୟା-କଳଙ୍କ ଅର୍ଜନ ।

ପିତୃଭକ୍ତି, ମାତୃଭକ୍ତି ଭ୍ରାତୃ ବତ୍ସଳତା-

ରସେ ପୂର୍ଣ୍ଣ ହୃଦ ତାର କେ କରେ ଇୟତ୍ତା ?

ତୋଷିବାକୁ ପ୍ରଜାମନ-ପରାଣ ପିତୁଳା

କଲ ବିସର୍ଜନ ସତୀ ଶିରୀଷ ମୃଦୁଳା ।

ପ୍ରେମଭରା ହୃଦ ତେଣୁ କାଞ୍ଚନ ପ୍ରତିମା

ସ୍ଥାପି ଗୃହେ ପ୍ରଚାରିଲ ପ୍ରେମର ମହିମା ।

ଦୟା କ୍ଷମା ସ୍ନେହ ପ୍ରୀତି-ଅବତାର ଭବେ,

ହୃଦ-ସିଂହାସନେ ଆଜି ପୂଜନ୍ତି ସରବେ ।

Image

 

ଭରତ

 

ତନୟବତ୍ସଳା ମାତା-ଯୋଗୁଁ ବୀରାଗ୍ରଣୀ ।

ହେଲ ପରା ସସାଗରା ଧରା-ନରମଣି ?

କନକମୁକୁଟ ତ୍ୟଜି କି ଆଶା-ପୁଲକେ

ପିନ୍ଧିଅଛ ଜଟାଜୁଟ ରାଜନ୍ୟ ମସ୍ତକେ ?

ରାଜଦଣ୍ଡ ରାଜୁଥାନ୍ତା ଯେ କରକମଳେ,

କିପାଁ ସେହି କର ଦଣ୍ଡ-କମଣ୍ଡଳୁ ଧରେ ?

ଲାଗନ୍ତା ଯେ ଅଙ୍ଗେ ଚୁଆ କର୍ପୂର ଚନ୍ଦନ

ସେ ତନୁରେ ଆଜି କିପାଁ ବିଭୂତି ଲେପନ ?

ହେଲା ଜନନୀଙ୍କ ମନ୍ଦ-ବାସନା ବିଫଳ

ବୋହିଲେ ସେ ଅପକୀର୍ତ୍ତି ମସ୍ତକେ କେବଳ ।।

ମହାମନା, ହୃଦ ତୁମ୍ଭ ପ୍ରଶସ୍ତ ଉଦାର

ପାଇବ କି ସ୍ଥାନ (ତହିଁ) ଭାବ ସଂକୀର୍ଣ୍ଣ ଅସାର ?

ପ୍ରେମ ଭକତିରେ ପୂର୍ଣ୍ଣ ହୃଦ ଗନ୍ତାଘର,

କି ଛାର ତା ଆଗେ ରତ୍ନ-ମୁକୁଟ ଭାସ୍ୱର ?

Image

 

ଲକ୍ଷ୍ମଣ

 

ଦଣ୍ଡକା ଅଟବୀ ପର୍ଣ୍ଣ-କୁଟୀର ଦ୍ୱାରରେ

ବୀରମଣି ଉଭା କିପାଁ କୋଦଣ୍ଡ କରରେ ?

ଶିରେ ଶୋହେ ଜଟାଜୂଟ କଟିରେ କଳ୍କଳ,

ଗୈରିକ ବିଭବେ ତନୁ ଦିଶେ ଚାରୁତର ।

ନ ରୁଚେ ଆହାର ନାହିଁ ନିଦ୍ରା ନୟନରେ

କହ କାହାଲାଗି ତପ ସାଧ ନିରନ୍ତରେ ?

ସାବତ ଜନନୀ କୂଟ-ଦୃଷ୍ଟି ତୁମ୍ଭଠାରେ

ନ ଥିଲା ତ ଧୀରମଣି ! କା ପ୍ରରୋଚନାରେ

ଛାଡ଼ି ଚାରୁ ହର୍ମ୍ୟବାସ ହେଲ ବନଚାରୀ,

ଦୁଗ୍ଧଫେନନିଭ ତୁଳି-ତଳପ-ବିହାରି !

ହେ ଅଗ୍ରତ-ଆଜ୍ଞାବହ, ଅଗ୍ରଜଙ୍କ ପ୍ରତି

ହୃଦେ ପୋଷା ଅପାର୍ଥିବ ଯେ ପ୍ରୀତି ଭକତି

ତା‘ଲୋଭେ ଛାଡ଼ିଣ ଚାରୁ-ବିଳାସ ପ୍ରାସାଦ

ସେବାବ୍ରତେ ପୋଷୁଅଛି ଚିତ୍ତର ପ୍ରସାଦ ।

Image

 

କୈକେୟୀ

 

ହେବେ ରାମ ରାଜା କାଲି;-ସାକେତ ନଗରୀ

ଖେଳାଏ ସରଯୂ ଅଙ୍କେ ଆନନ୍ଦ-ଲହରୀ ।

କେକୟନନ୍ଦିନୀ ସତି, କ୍ଷୁର୍ଣ୍ଣ କିପାଁ ମନ ?

କାହିଁକି ପର୍ଯ୍ୟଙ୍କ ତ୍ୟଜି ଭୂମିରେ ଶୟନ ?

ସ୍ୱାମୀସେବା-ବ୍ରତଫଳେ ଅଭୀଷ୍ଟ ସାଧନା-

ଉପାୟ ରହିଛି ହାତେ କାହିଁକି ଶୋଚନା ?

ପ୍ରଫୁଲ୍ଲ ମାନସେ ଯିବେ ବନବାସ ରାମ,

ତ୍ୟଜିବେ ଶୋକରେ, ସତି, ପତି ଇହଧାମ;

ଏତେ ଯତ୍ନସତ୍ତ୍ୱେ ହେଲା ବାସନା ବିଫଳ,

କଟିରେ ଭରତ ଆହା । ପିନ୍ଧିଲେ ବଳ୍କଳ ।

ନିୟତିରୂପିଣୀ, ଆହେ ପଚାରେ ଏତିକି,

ଏଡ଼ି ପାରିଲ କି କହ ନିଜ ନିୟତିକି ?

ନିୟତି ବରାଦେ ତାହା ହେଲା ଯା ହେବାର,

ମାତ୍ର ଅପଯଶ ତୁମ୍ଭ ଘୋଷିଲା ସଂସାର ।

Image

 

ମନ୍ଥରା

 

ମନ୍ଥରେ, କାହିଁକି ତବ ପଦକ୍ଷେପ ତ୍ୱରା,

ମନରେ ଦୁରଭିସନ୍ଧି ଖେଳେ କିଛି ପରା

ପ୍ରଶସ୍ତ ଲଲାଟେ ଶୋହେ କୁଟିଳ କୁଞ୍ଚନ,

ବିଶାଳ ଲୋଚନ ତୁମ୍ଭ କୁଚତ୍ର ଦର୍ପଣ ।

କୁବ୍ମ ପୃଷ୍ଠେ ନ୍ୟୁଚ୍ମ ଅଙ୍ଗ ଦିଶେ ସୁମୋହନ,

ନଖଶିଖ କୁଟିଳତା-ରଞ୍ଜିତ ଯେସନ ।

ସହିବ ନା ଏ ସମୟ ଗମନ ମନ୍ଥର,

ବିଷଦୁଷ୍ଟ କର ତୃର୍ଣ୍ଣ କୈକେୟୀ ଅନ୍ତର ।

ଥିଲେ ସିନା ଦଶରଥ-ପ୍ରିୟତମା ରାଣୀ,

ହେବେ ଭାବୀ ରାଜମାତା କାଲି ସାଆନ୍ତାଣୀ ।

ଭରତ ଶତ୍ରୁଘ୍ନ ହସ୍ତେ ପ୍ରୀତି-ଉପହାର

ଲଭି ସଜାଇବ,ବୃଦ୍ଧେ, ଯତନେ ଭଣ୍ଡାର ।

ନିୟତିର ଅଗ୍ରଦୂତୀ ହେ କୁଟିଳେକ୍ଷଣେ,

ଜନ୍ମିଥିଲ ଭବେ ଦେବ-ଅଭୀଷ୍ଟ ସାଧନେ

Image

 

ସାବିତ୍ରୀ

 

ଛାଡ଼ିଚାରୁ ହର୍ମ୍ୟ ଏବେ ହେ ମଦ୍ର-ନନ୍ଦିନି !

ପମ୍ପାସରୋବର ତପୋ-ବନ ନିବାସିନୀ ।

ନ ଥିଲେ କେତେ ବା ଭବେ ନରେନ୍ଦ୍ର କୁମାର ।

ବନଚାରୀ ଭିକ୍ଷୁଗଲେ ଅରପିଲ ହାର ।

ପ୍ରକୃତିର କୋଳେ, ସତି, ପ୍ରକୃତି ନନ୍ଦନା

କ୍ରୀଡ଼ା ଲାଗି ବଳିଲା କି ହୃଦୟେ ବାସନା ?

ଦେଖି ତବ ବ୍ୟବହାର ମଧୁର ସରଳ

କାନନନିବାସୀ ସର୍ବେ ବିମୁଗ୍ଧ ଅନ୍ତର ।

ହେ ପ୍ରେମଯୋଗିନୀ, ବସି ପ୍ରେମାନନ୍ଦ ମନେ

ନବ-ଶ୍ୟାମ-ଦୁର୍ବାଦଳ-ଗାଲିଚା ଆସନେ

ପଶିଣ ସାହସେ ପ୍ରେମ-ଜଳଧି ବିତଳେ

ଲୋଡ଼ିଲ ପୀୟୁଷଧାରା ଶଶାଙ୍କ ମଣ୍ଡଳେ ।

ଲଭିବାକୁ କଣିକାଏ ଭାରତ ଲଳନା

କରନ୍ତି ଭକ୍ତିରେ ଆଜି ତବ ଆରାଧନା ।

Image

 

ସୁଭଦ୍ରା

 

ମହାବୀର ଧନୁର୍ଦ୍ଧର କ୍ଷତ୍ରିୟ ପୁଙ୍ଗବ ।

ଉଭାହୋଇଛନ୍ତି ଆଗେ ଅୟୂତ ଯାଦବ ।

ନିବାରନ୍ତି ଏକା ପାର୍ଥ ଖରଶାଣ ଶରେ

କିଏ ସେ ଏ ବାଳା ତାଙ୍କ ଅଶ୍ୱ ବଲ୍ଗା ଧରେ ?

ସୁକୁସୁମ ସୁକୁମାରୀ ହେ ଯଦୁ ନନ୍ଦିନି !

କେଉଁ ଶକତିର ବଳେ ଏଡ଼େ ତେଜସ୍ୱିନୀ ?

ପ୍ରେମର ତଟିନୀ ଆହା ପ୍ରେମ ପାରାବାର ?

ଖରରୟା ନୁହେ ସେତ ମନ୍ଥର ଗାମିନୀ,

ଚାଲିଛି ପଥର କାଟି ସିନ୍ଧୁ ବିଳାସିନୀ ।

ହଟ ଯଦୁଅନିକିନୀ ପାଲଟାଅ ପଥ,

ଫେରାଇ ପାରିବ ଯହୁଁ ସୁଭଦ୍ରାର ରଥ ।

ପ୍ରେମ ବଳେ ବଳୀୟାର ହୃଦୟ ବାଳୀର,

କି କରି ପାରିବ ତାକୁ ଧରି ଅସ୍ତ୍ର ଛାର ।

Image

 

କୁନ୍ତୀ

 

ହେ ବୀର ଜନନି, କିମ୍ପା ବିଦୁର କୁଟୀରେ

କାନ୍ଦୁଛ ଢ଼ାଳିଣ ଅଶ୍ରୁ ଦିବସ ନିଶିରେ,

ପତିହୀନା ବିହଙ୍ଗିନୀ କୁଳାୟେ ଯେସନ

ହଜାଇ ଶାବକ ତାର କରଇ କ୍ରନ୍ଦନ ।

ଭ୍ରମନ୍ତି ଶାବକ ପଞ୍ଚ ସ୍ନେହ କ୍ରୋଡ଼-ନୀଡ଼-

ବଞ୍ଚିତ ହୋଇଣ କାହିଁ କାନନ ନିବିଡ଼ ।

ବଜ୍ର ନଖ ଶ୍ୟେନ ଶାବେ କପୋତ କବଳେ

ରୁଦ୍ଧ ବୀର୍ଯ୍ୟ, ସତି, ସତ୍ୟ-ଜଟିଳ ଜାଲରେ ।

ଛିଣ୍ଡାଇଣ ଜାଲ ଦିନେ ଭୀଷଣ ଆହରେ

ନାଚିବେ ତନୟ ତବ ବୀରତ୍ୱ ଗୌରବେ ।।

ଖେଳିବ ଅମ୍ବରେ ଧର୍ମ-ବିଜୟ-କେତନ,

ହେବ ଅଧର୍ମୀର ପୁଣି ଦାରୁଣ ପତନ ।

ଦିନ କୃଷ୍ଣ ଜନାର୍ଦ୍ଦନ ଦୁଃଖୀର ସଙ୍ଖାଳି

ପୋଛି ଦେବେ ମାତା ତବ ନୟନରୁ ବାରି ।

Image

 

ଗାନ୍ଧାରୀ

 

ବାନ୍ଧିଛ ନୟନେ, ସତି, ଅନ୍ଧୁଣୀ ପଟଳ,

ହଳାହଳମୟ କିବା ଦୃଶ୍ୟ ଜଗତର !

ପତି ପ୍ରତି ଯେ ସୁଖରେ ଦଇବ ବିମୁଖ

କେବେ ପତିଗତ ପ୍ରାଣା ଲୋଡ଼େ ନା ସେ ସୁଖ ।

ଜନମରୁ ସ୍ୱାମୀ ଅନ୍ଧ, ଦେଖେ ନା ନୟନ

ଶୋଭାର ଭବନ ଏହି ବିଚିତ୍ର ଭୂବନ ।

ବଢ଼ାଇଲ ସତି, ଚନ୍ଦ୍ର-ମଉଳି ମସ୍ତକେ

କନକ ଚମ୍ପକ ଲକ୍ଷେ ଆଶାର ପୁଲକେ

ନ ପାରିଲ ଏଡ଼ି ଆହା କପାଳ ଲିଖନ

ଅକାଳେ ଦେଖିଲ ସତି, ସୁତଙ୍କ ନିଧନ ।

ଗୋଟି ଗୋଟି ଊନଶତ ବିକାଶ ସୁମନ,

ଲତା କୋଳୁଁ ଖସି କଲେ ଧରଣୀ ଚୁମ୍ବନ

ଥିଲା ଧର୍ମ ପ୍ରତି ହୃଦ କିଞ୍ଚିତ ଆବିଳ,

ସତୀ ଶିରୋମଣି, ଶେଷେ ଫଳ ତା ଭୁଞ୍ଜିଲ ।

Image

 

ଯୁଧିଷ୍ଠିର

 

ହେ ଅଜାତ ଶତ୍ରୁ ବସି କୁରୁ ସଭାତଳେ

ବାସବବୀଜୟୀ ବୀର ଭ୍ରାତାଙ୍କ ମେଳରେ ।

ଦେଖୁଅଛ ଦୁଃଶାକରେ ଦ୍ରୁପଦ ନନ୍ଦିନୀ

ଲଭନ୍ତି ଲଞ୍ଛନା ଯେତେ ମଉନେ ମାନିନୀ ।

ସତ୍ୟସନ୍ଧ, ସତ୍ୟଲାଗି ରଖିଅଛ ପ୍ରାଣ,

ସହୁଛ ପ୍ରଶାନ୍ତ ଚିତ୍ତେ ତେଣୁ ଅପମାନ ।

ରାଜ୍ୟ ଛାଡ଼ଇ ବନବାସେ ଚଉଦ ବରଷ

ପ୍ରଚାରିଲ ସତ୍ୟଧର୍ମ ରଜନୀ ଦିବସ ।

ବୁଝିଥିଲ ସତ୍ୟସୂତ୍ରେ ଗୁନ୍ଥା ଚରାଚର

ଭ୍ରଷ୍ଟ ହେଲେ ତହୁଁ କେହି ନଷ୍ଟ ସେ ନିକର ।।

ପ୍ରଚାରିଲ ଧୀର କୁରୁ-ପାଣ୍ଡବ ଆହବେ

ସତ୍ୟ ଏକା ଜୟ ମିଥ୍ୟା ପରାଜୟ ଭବେ ।

ଉଡ଼େ ଗଗନରେ ଶ୍ୱେତ ସତ୍ୟର ଚିରାଳ

ଯହିଁ ସତ୍ୟ ତହିଁ ବିଜେ ଯଶୋଦା ଦୁଲାଳ ।

Image

 

ଭୀମ

 

ଦୁଃଶାସନ ବକ୍ଷେ ଏ କି ମୁରତି କରାଳ ।

ମହାକାଳ ରୁଦ୍ର ରୂପ ମହା ମହିମାର !

ଶୋଣିତ-ରଞ୍ଜିତ-ବପୁ ବିକଟ ଦର୍ଶନ,

ମୁକ୍ତକେଶ ଯୁଯୁଧାନ ଘୃମିତ ଲୋଚନ ।

ଜତୁଗୃହେ, ପାଞ୍ଚାଳରେ ବିରାଟ ଭବନେ

ମିଳିଥିଲା ଯା ଆଭାସ ହିଡ଼ିମ୍ବିକା ବନେ

କୁରୁକ୍ଷେତ୍ରେ ଆଜି ସେହି ମୂରତି ବିକାଶ

ସାଧିବାକୁ ପାପ ଆତ୍ମା କୁରୁଙ୍କ ବିନାଶ

ପ୍ରଳୟ ସଂହାର ମୂର୍ତ୍ତି ଧର୍ମ ଅନ୍ତରାଳେ,

ବାଡ଼ବ ଯେସନେ ଆହା ଶାନ୍ତ ପାରାବାରେ ।

ସଂହର ସଂହର ବୀର ବପୁ ବିଶ୍ୱଗ୍ରାସୀ

କଲେଣି ସଂହାର ବେଣୀ ସତୀ ଚାରୁହାସୀ ।

ଯୁଗେ ଯୁଗେ କେବେ ଯେବେ ଧର୍ମ ବିକ୍ଷୁଭିତ

ଏ ରୁଦ୍ର ତାଣ୍ଡବ ଲୀଳା ହୁଏ ଅଭିନୀତ ।

Image

 

ପାର୍ଥ

 

ଉଠ ବୀର ସବ୍ୟସାଚୀ କାହିଁକି ନିର୍ବେଦ,

ଆଗେ କୃଷ୍ଣ ଜନାର୍ଦ୍ଦନ କାହିଁକି ବା ଖେଦ ।

ହେବ ତୃତୀୟ ଅଧ୍ୟାୟ ଦ୍ୱାପର ଲୀଳାର

କୁରୁକ୍ଷେତ୍ରେ ଅଭିନୀତ, ସଜ୍ଜା ମଞ୍ଚ ତାର ।

ଉଭା ଆଗେ ସୂତ୍ରଧର ନଟ ଶିରୋମଣି,

କର ସହାୟତା ତାଙ୍କ ବିଷାଦ ନ ଗଣି ।

ହେବ ଯବନିକା ପାତ ଭାରତ ଭାଗ୍ୟର

ବିଧିର ବିଧାନ, ତୁମ୍ଭେ ନିମିତ୍ତ ମାତର ।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ବୀର ଚୂଡ଼ାମଣି,

ଭାରତର ଯୁଯୁଧାନ ସାମନ୍ତ ନୃମଣି

ସାରିଦେବେ ସବୁ ଲୀଳା-ଖେଳ ଜୀବନର

ବୁହାଇ ଜନନୀ ନେତ୍ରେ ଚିର ଅଶ୍ରୁଝର ।

ପ୍ରଭାସରେ ଶେଷ ଅଧ୍ୟା ହୋଇବ ସମାପ୍ତ

ତୁମ୍ଭେ ତହିଁ ବୀର, ଏକା ଥିବ ସାକ୍ଷୀ ମାତ୍ର ।

Image

 

କର୍ଣ୍ଣ

 

‘‘ସୂତପୁତ୍ର’’ ବୋଲି, କର୍ଣ୍ଣ, ଅବଜ୍ଞା କେବଳ

ଆମରଣ ହେଲା ତୁମ୍ଭ ଜୀବନ ସମ୍ବଳ ।

ଭାର୍ଗବ ସକାଶେ ଛଦ୍ମେ ମାଣବକ ବେଶେ

କଲ ଧନୁର୍ବେଦ ଶିକ୍ଷା ଆଶ୍ରମ ପ୍ରଦେଶେ ।

ଭାଗ୍ୟ ବିଡ଼ମ୍ବନେ ତାହା ହେଲା ଅକାରଣ,

ସଂକଟ କାଳରେ ବୀର ମନ୍ତ୍ର ବିସ୍ମରଣ ।

କୁରୁସଭା ମଧ୍ୟେ ଆହା ଆର୍ଯ୍ୟ ଦ୍ରୋଣାଚାର୍ଯ୍ୟ

ଉପେକ୍ଷିଲେ ଗୁଣବତ୍ତା ବୋଲିଣ ଅନାର୍ଯ୍ୟ ।

ପାଞ୍ଚାଳୀର ସ୍ୱୟମ୍ବରେ ଦ୍ରୁପଦ ନନ୍ଦନା,

କଲେ ପ୍ରତ୍ୟାଖ୍ୟାନ, ତେଣୁ ହେଲ ଭଗ୍ନମନା ।

ଶୁଖିଗଲା ଜୀବନର ଆଶା ମହାଝର,

ଶ୍ୟାମଳ ଶାଦ୍‌ବଳ ଭୂମି ନୈରାଶ୍ୟ ଉଷର ।

ଲଗାଇଲ ଧୀର, ଆର୍ଯ୍ୟେ ଯେ ଭ୍ରାତୃବିବାଦେ,

ଫଳିଲା ବିଷମ ଫଳ ନିୟତି ବରାଦେ ।

Image

 

ଭୀଷ୍ମ

 

ଭୀଷ୍ମ ବୃଦ୍ଧ ପିତାମହ ଏ କି ରୀତି ତବ

କାହା ଲାଗି ସଜ୍ଜା ଏତେ ଭାଷଣ ଆହବ ?

କୌରବ ପାଣ୍ଡବ ଦୁଇ କୁରଙ୍ଗ ଶାବକ

ଭୁଜଚ୍ଛାୟା ତଳେ ତୁମ୍ଭ ଲାଳିତ କାଳକ ।

ପିତୃହୀନ ଦୁଃସ୍ଥ ଶିଶୁ ଶରର ଶରବ୍ୟ

ହେବ, ଏହା ନୁହେ, ଧୀର, ବ୍ୟବହାର ଭବ୍ୟ ।

ଜୀବନରୁ ବଳି ପ୍ରିୟ-ତମ ଯୁଧିଷ୍ଠିର

ହୃଦୟେ ହାଣିବ କହ, କେହ୍ନେ ଶାଣ ତୀର ।

ଦେଖ ଆର୍ଯ୍ୟ ଅନାଥର ନାଥ ଚକ୍ରଧର

ଧରି ସୁଦର୍ଶନ ବିଜେ ଫାଳ୍ଗୁନି ରଥର ।

ଏକ ଦିଗେ ପାଣ୍ଡବଙ୍କ ସ୍ନେହାନୁବନ୍ଧନ

ବିଭାବନା ଅନ୍ୟେ ପୁଣି କୌରବଙ୍କ ଅନ୍ନ ।

କିବା ଚିନ୍ତା, ଆର୍ଯ୍ୟଧର୍ମ-କର୍ତ୍ତବ୍ୟ ପାଳନ

କୃତଘ୍ନତା ତାହା ପକ୍ଷେ ନୁହଇ ଶୋଭନ ।

Image

 

ଦ୍ରୋଣାଚାର୍ଯ୍ୟ

 

ହେ ଆଚାର୍ଯ୍ୟ ତୁମ୍ଭେ ଶାନ୍ତି-ପକ୍ଷପାତି-ଦଳେ

କୌରବ ପାଣ୍ଡବ ମଧ୍ୟେ, ଜାଣନ୍ତି ସକଳେ ।

ସୁତ ସମଧିକ ସ୍ନେହ ହେଲା ପାର୍ଥ ପ୍ରତି,

କେଉଁ ଦୋଷେ ଦୋଷୀ ଏବେ ଫାଲ୍‌ଗୁନି ସଂପ୍ରତି ?

ସେନାପତି ଶାଢ଼ୀ କିମ୍ପା ବାନ୍ଧିଛ ଶିରରେ

କହ କାହା ସଙ୍ଗେ ଯୁଦ୍ଧ ବାଧିବ ସମରେ ?

କୁରୁକ୍ଷେତ୍ରେ ଗୁରୁଶିଷ୍ୟ ଭେଟ ସମ୍ଭାଷଣ

ଦେଖିବ ଜଗତ ଆଜି ମେଲାଇ ନୟନ ।

ପଡ଼ଇ କି ମନେ ଭକ୍ତ ଏକଲବ୍ୟ କଥା

କାହା ଲାଗି ଦେଲ ତାକୁ ଅଙ୍ଗଚ୍ଛେଦ ବ୍ୟଥା ।

ସୂତପୁତ୍ର ବୋଲି ଯାହା କୁରୁ ସଭାତଳେ

ହେଲେ ଉପେକ୍ଷିତ କର୍ଣ୍ଣ, ପଡ଼େ କି ମନରେ ?

ଯାହା ଲାଗି ଏତେ କଥା ତା ସଙ୍ଗେ ସମର,

ଏତେ ଦିନ ପରେ, ଦ୍ୱିଜ, ଯୋଗ୍ୟ ପ୍ରତିଫଳ !

Image

 

ଦୁର୍ଯ୍ୟୋଧନ

 

ମାରିବାକୁ ପଞ୍ଚପଡ଼ା ଆସିବେ ଗୋବିନ୍ଦ

କର ପରାମର୍ଶ ଏବେ ହେ ମାନଗୋବିନ୍ଦ !

ଡାକି କର୍ଣ୍ଣ ଦୁଃଶାସନ ହିତୈଷୀ ମାତୁଳ,

ମନ୍ତ୍ରଣାରେ ଏ ତିନିହେଁ ଅଟନ୍ତି ଅତୁଳ ।

‘‘ସୁଚ୍ୟଗ୍ର ପ୍ରଣାମ ଭୂମି ବିନା ଯୁଦ୍ଧେ ଦେବା’’

ମାନଗୋବିନ୍ଦଙ୍କୁ ଦେବ ପରାମର୍ଶ କେବା ?

‘‘ଶରୀର ପତନ ଅବା ମାନ-ସଂରକ୍ଷଣ’’

ମହାମାନୀ କୁରୁମଣି-ଜୀବନର ପଣ ।

ଲଗାଇଛ ହଟା ଏତେ କିମ୍ପା ଜନାର୍ଦ୍ଦନ,

ମାନିବ କି କଥା କେବେ ମାନୀ ଦୁର୍ଯ୍ୟୋଧନ ?

ହେବ ବାଞ୍ଛା ପୂର୍ଣ୍ଣ ତବ ବାଧିବ ସମର,

ମାଗି ଯିବ ପାର୍ଥ ସଙ୍ଗେ ମୁକୁଟ ଭାସ୍ୱର ।

ଭୀମ ସଙ୍ଗେ ଉରୁଭଙ୍ଗେ ପାଣ୍ଡବ ନିଧନେ

ଚିହ୍ନିବ କୌରବର ଉଦାର କେସନେ ।

Image

 

ଶକୁନି

ବିରସ କାହିଁକି ଆଉ ସୁବଳନନ୍ଦନ ।

କରି ସମାଧାନ ତୂର୍ଣ୍ଣ ତିଳ ତରପଣ,

ରକ୍ଷାକର ଭାଗିନେୟ ଭକ୍ତି-ଆମନ୍ତ୍ରଣ

ମଣ୍ଡି କୁରୁସଭା ମଧ୍ୟେ ସଚିବ-ଆସନ ।

ଶକୁନି ସମାନ ତୁମ୍ଭେ ଦୁର ଦେଶଦର୍ଶୀ

ଯଥା ଦେଶ କାଳ ପାତ୍ର-ଭେଦ ପାରଦର୍ଶୀ ।

ଭଲଲୋକ ହେଲେ ମଧ୍ୟ ତବ କୂଟନୀତି

ଭେଦିବାକୁ ତା ଜୀବନ ଯିବ ସିନା ବିତି ।

ଆସ ଆସ ଖେଳ ପଶା ପାଶେ ଯୁଧିଷ୍ଠିର

ବୁଦ୍ଧି କରାମତି ଆଜି କରାଅ ଜାହିର ।

ହାର ସବୁ ଧର୍ମସୁତ ଦାଣ୍ଡର ଭିଖାରୀ,

ରହିଛନ୍ତି, ଏକାକିନୀ ସଦନେ ପାଞ୍ଚାଳୀ ।

ଆଣି ତାଙ୍କୁ ସଭାସ୍ଥଳେ କର ବିବସନା,

ଶୁଝା ଯିବ ପିତୃ ଋଣ ତେବେ ମହାମନା ।

Image

 

ଅଭିମନ୍ୟୁ

 

ହେ ବାଳୁତ କିମ୍ପା ଆଜି ବଦନ ପ୍ରଫୁଲ୍ଲ

ବୋଳା ହେଲା ପରି ଦିଶେ ମାଧୁରୀ ଅତୁଳ ।

ମଣ୍ଡୁଛନ୍ତି ଭଦ୍ରା ରଣ-ଆଭରଣମାନ

ରତନ ମୁକୁଟ ସଙ୍ଗେ ବଜ୍ର ତନୁତ୍ରାଣ ।

ସହିବକି ତନୁ ତବ ପୁଷ୍ପ ସୁକୁମାର

ଦ୍ରୋଣାଚାର୍ଯ୍ୟ ଖରଶାଣ କଳମ୍ବ ପ୍ରହାର ?

ପିତା ଧନଞ୍ଜୟ ତୁମ୍ଭ ମାତୁଳ ଗୋବିନ୍ଦ

ଜନନୀ ସୁଭଦ୍ରା, ପିତା-ମହ ଗୋତ୍ରଭିଦ ।

ଭେଦି ବ୍ୟୁହ ଚାଲ ବୀର, ସମ୍ମୁଖ ସମରେ

ରୋଧିବାକୁ ପଥ କେହି ନାହିଁ କୁରୁବଳେ ।

ତ୍ୟଜି ଧର୍ମ ଯୁଦ୍ଧ ଦେଖ କୁରୁ ସପ୍ତରଥା ।

କଲେଣି ତୁମ୍ଭଙ୍କୁ ବୀର ପଦାତି ବିରଥୀ ।

ହସି ହସି ବୀରମଣି ଅସିର ଫଳକେ

ଲେଖିଗଲ ଯଶୋଗାଥା ମହାକାଳ ବକ୍ଷେ ।

Image

 

ଅଶ୍ୱତ୍ଥାମା

 

ଶ୍ରୀ ମାନଗୋବିନ୍ଦ ମାନ-ସରୋବର ତୀରେ

ଭଗ୍ନଜାନୁ, ଭଗ୍ନମନ ନିରାଶା ତିମିରେ ।

ହୋଇ ଆସିଲାଣି ଆୟୁ-ସ୍ତୈଳ ନିଃଶେଷିତ

ଜୀବନ-ପ୍ରଦୀପ ଆହା ଜଳଇ ସ୍ତିମିତ ।

ଭାଇ ବନ୍ଧୁ ଦାରା ସୁତ ଆତ୍ମୀୟ ସ୍ୱଜନ

ନାହାନ୍ତି ପାଶରେ କେହି, ଏକା ଦୁର୍ଯ୍ୟୋଧନ ।

ଚାଲ ଦ୍ରୋଣି ତେଜିଦେବ ଅନ୍ତିମ ମୟୂଖ

ଭ୍ରମୁଛ କାନନେ କିମ୍ପା ହୋଇଣ ବିମୁଖ ।

ନାହାନ୍ତି ଜନକ ଆଉ ଇହ ଜଗତରେ

ଅଧର୍ମେ ପାତିତ ଆହା ପାଞ୍ଚାଳ କୁମରେ ।

କର ପିତୃ ତିଳୋଦକ କ୍ରିୟା ସମ୍ପାଦନ

ପିତୃଘାତୀ ଶୋଣିତରେ ହେ କୃପୀନନ୍ଦନ ।

ଧିକ ଦ୍ରୋଣି ବଧିଲ ଯା’ ସୁଷୁପ୍ତ-ବାଳକେ

ଲୋଡ଼ିଲ ଜୀବନେ ସ୍ଥାନ ଜୀବନ୍ତ ନରକେ ।

Image

 

ଧୃତରାଷ୍ଟ୍ର

 

ଅନ୍ଧ ବୃଦ୍ଧ ଏବେ ଆଉ କାହିଁକି ବିଳାପ

ଭୁଞ୍ଜିବ କିଏ ସେ ଏବେ କୃତ କର୍ମ ପାପ ?

ମନ୍ୟୁମୟ ତରୁ ମରୁ-ଭୂମେ ସଂସାରର

ଅକାଳେ ଝଡ଼ିଲା ଶାଖା-ପ୍ରଶାଖା ସକଳ ।

ରହିଅଛି ମୂଳ, ନାହିଁ ପତ୍ର ପୁଷ୍ପଫଳ,

ଦାରୁଣ ସନ୍ତାପ-କୀଟ କାଟଇ ଅନ୍ତର ।

ବିବେଚନା-ଅନ୍ଧ ହେଲ, ହେ ଜନମ-ଅନ୍ଧ

ଏଡ଼ି ମହାଜନ ବାକ୍ୟ ନ ବାନ୍ଧିଲ ବନ୍ଧ ।

ବହିଗଲା ଖରସ୍ରୋତ ଟାଳିଦେଲା କୂଳ,

ତୀର ତରୁଲତା କୁଞ୍ଜ ପାତିତ ନିର୍ମୂଳ ।

ଉର୍ବ୍ବର ଶ୍ୟାମଳ ଭୂମି ବାଲୁକା ପ୍ରାନ୍ତର,

ତୁମ୍ଭେ ତହିଁ ଉଭା, ବୃଦ୍ଧ, ସ୍ଥାଣୁ ତରୁବର ।

ଦୁର୍ଯ୍ୟୋଧନ ଜନ୍ମକାଳେ ମହତ ବଚନ

ଲଘିଂ ସେ, ଦେଖିଲ ଏବେ ବଂଶ ବିନାଶନ ।

Image

 

ବିଦୁର

 

ମହାତ୍ମନ ! କାହିଁକି ଏ ଦୁଷ୍ଟ ସଭାସ୍ଥଳେ

ଢାଳୁଅଛ ସୁଧାବାଣୀ ବଧିର କର୍ଣ୍ଣରେ ।

ଖଳବାଣୀ ଜତୁମୃଦ ଲଗାଇ ବହଳ

ରୋଧିଅଛ ଦୁର୍ଯ୍ୟୋଧନ ଶ୍ରବଣ-ବିବର ।

ଦଶାନନ ଚିତାସମ କୌରବ ହୃଦୟ

ଈର୍ଷାନଳେ ଜଳେ ସଦା ବିକଳ ଅଥୟ ।

ବହିଲେ ଅଜସ୍ର ତହିଁ ନାକ-ମନ୍ଦାକିନୀ

ବାଷ୍ପପୂରେ ହେବ ପୁଣି ଗଗନଗାମିନୀ

ଦାସୀପୁତ୍ର ବୋଲି କେତେ ସହିଛ ଲାଞ୍ଛନା,

ବିଚଳିତ ନୁହ ଧର୍ମୁ ତିଳେ ମହାମନା

ସହି ସହି ଅୟୋଘନ-ଆଘାତ କାଞ୍ଚନ

ଛାଡ଼ିଲ କି ସ୍ୱାଭାବିକ ଗୁଣ କଦାଚନ ।

ଆସିବେ ଶ୍ରୀକୃଷ୍ଣ, ଯଥା କୁଟୀରକୁ ଫେରି

ସଜାଡ଼ି ରଖିବ ଖୁଦ-କୁଣ୍ଡା ପାତ୍ର ଭରି ।

Image

 

ଦ୍ରୌପଦୀ

 

ଦ୍ୱୈତବନନିବାସିନୀ ହେ କର୍ମଯୋଗିନି !

ମୂର୍ତ୍ତିମତୀ ପତିବ୍ରତା ଦ୍ରୁପଦନନ୍ଦିନୀ ।

ପତିସଙ୍ଗେ ତ୍ୟଜି ସତି, ଚାରୁ ହର୍ମ୍ୟରାଜି

ସାଧ କି ସାଧନା ବନେ ପର୍ଣ୍ଣାସନେ ସାଜି ।

ଆବାଲ୍ୟ ବିପଦେ ସଢ଼ି ପାଣ୍ଡବ ହୃଦୟ

ମଣିଲାଣି ଏ ସଂସାର ଜୀବନ ନିରୟ

ଦ୍ୱିଜମେଳେ ବସି ଦେଖ ପାଣ୍ଡବ ପ୍ରଧାନ

‘‘ଅକ୍ରୋଧ ପରମ ଧର୍ମ’’ କରନ୍ତି ବ୍ୟାଖ୍ୟାନ ।

ଉଠ ସତି, ଭାଙ୍ଗ ଧ୍ୟାନ, କର୍ମଯୋଗ ଦୀକ୍ଷା

ନିଷ୍କ୍ରିୟ ପାଣ୍ଡବଗଣେ ଦିଅ ତୁମ୍ଭ ଶିକ୍ଷା ।

ଭୀମ ସବ୍ୟସାଚୀ ହୃଦେ ଶକ୍ତିର ସଞ୍ଚାର

କର ସତି, ତେବେ ସିନା ବିପଦୁଁ ନିସ୍ତାର ।

ନାରୀ ଶକ୍ତି ବିନା ଆଜି ଭାରତ-ଦୁର୍ଦ୍ଦଶା,

ନ ଉଠିଲେ ନାରୀ, କେବେ ଫେରିବ ନା ଦଶା ।

Image

 

ଗାର୍ଗୀ

 

ସୁରଭି କୁସୁମ-ଶୋଭି ଲତା-କୁଞ୍ଜତଳେ

ଶୈବାଳ-ପିହିତଚାରୁ ଶିଳାସନ ପରେ

କିଏ ସେହି ଦେବୀ ମୂର୍ତ୍ତି ଗୈରିକ ବସନା

ଅଖଣ୍ଡ ପରମ ବ୍ରହ୍ମ-ଧ୍ୟାନ-ନିମଗନା ?

ତନୁଯଷ୍ଟି ତପଃଶୀର୍ଣ୍ଣା, ନେତ୍ର ନିମୀଳିତ,

ଲଗ୍ନ ପୁଟ କରଯୁଗ ବକ୍ଷେ ସଂସ୍ଥାପିତ ।

ହେ ଚିରକୁମାରୀ ଗାର୍ଗି, ସାଧନା ସଫଳ

ହେଲାଣି ନୟନ ମେଲି ଦେଖ ଚରାଚର

ଅଖଣ୍ଡ ସଚ୍ଚିଦାନନ୍ଦ ପୂର୍ଣ୍ଣ ବ୍ରହ୍ମମୟ

ପ୍ରଶାନ୍ତ ସାଗର ସମ ପ୍ରଶାନ୍ତ ହୃଦୟ ।

ମିଥିଲା ନଗରେ, ଗାର୍ଗି, ଜନକ ଭୂପତି

ମଣ୍ଡିଛନ୍ତି ରାଜସଭା ଘେନି କୁଳପତି ।

ଯାଅ ତପସ୍ୱିନୀ ତହିଁ ଧରି ସଖୀବାର

ଯାଜ୍ଞାବଲ୍ବ୍ୟ ସଙ୍ଗେ ହେବ ବେଦାନ୍ତ ବିଚାର ।

Image

 

ଲୀଳାବତୀ

 

ଏହି ସେ ଭାରତ ବକ୍ଷ, ଯହିଁ ଗୁଣବତୀ

ରଚିଥିଲେ ଲୀଳା ଖେଳ ସାଧ୍ୱୀ ଲୀଳାବତୀ ?

ଗଣିତ ଜଟିଳ ସୁତ୍ର-ସମସ୍ୟା ସାଧନେ

କରୁଥିଲେ ସତୀ ଧ୍ୟାନ ଜାଗ୍ରତେ ସ୍ୱପନେ ।

ସହଜେ ପାସୋରି ଦେଲେ ବୈଧବ୍ୟ ବେଦନା

ଗଣିତ ରହସ୍ୟ ସଦା କରି ଆଲୋଚନା ।

ଦେଖିଥିଲେ ସେ ରହସ୍ୟେ ଜଡ଼ିତ ଜଗତ

ଚୂତଫଳ ସମ ସୂତ୍ରେ ଦୋଳୁଛି ନିୟତ ।

ଅଛି କିହେ ଭୂଭାରତେ ଶିକ୍ଷା ପୀଠ କାହିଁ

ଯହିଁ ଲୀଳାବତୀ ସୂତ୍ର ଚର୍ଚ୍ଚା ହୁଏ ନାହିଁ ?

ଅମର ଧାମରୁ ସାଧ୍ୱି । ଚାହଁ ଦେଖି ତ୍ୱରେ

ପକାଇ ପ୍ରସନ୍ନ ଦୃଷ୍ଟି ବିଧବା ଉପରେ ।

ଘୁଞ୍ଚିଯାଉ ବିଧବାର କଳଙ୍କ-କାଳିମା,

ବଢ଼ୁ ସମାଜରେ ତାର ମହିମା-ଗରିମା ।

Image

 

ଦେବକୀ

 

ଭାଦ୍ରବର କୃଷ୍ଣପକ୍ଷ କୃଷ୍ଣଜନ୍ମାଷ୍ଟମୀ,

ନିବିଡ଼ ନିଶୀଥ ସ୍ୱପ୍ନେ ସୁଷୁପ୍ତା ଅବନୀ ।

ଅନନ୍ତ ଗଗନ ଘନ-କୃଷ୍ଣ ମେଘାଚ୍ଛନ୍ନ

ଚପଳା ଚମକେ ଫାଟି ହୁଏ ଚନ୍ନ ଛନ୍ନ ।

ଉଇଁ ପୂର୍ବୁ ବାରିବାହ ଅଜସ୍ର ଆସାର

ବର୍ଷିଦିଏ ଧରା ପୃଷ୍ଠେ ରହି ବାରବାର ।

ଏ ସମୟେ କାରାଗାର, ଜନନି, ତୁମ୍ଭର

ଶୁଭେ ନବ ଜାତ ଶିଶୁ-କ୍ରନ୍ଦନେ ଚହଳ ।

ବନ୍ଦୀଶାଳେ ମାତା ତବ ତପସ୍ୟା ସଫଳ,

ବୃନ୍ଦାବନଚନ୍ଦ୍ର ଉଦେ ନିଶୀଥ ରାତ୍ରର ।

ବିନଷ୍ଟ ତମିସ୍ରରାଶି ଉଜ୍ଜ୍ୱଳ ଜଗତ,

ପ୍ରେମ ପାରବାର ନାଚି ଖେଳିବ ଦିଗନ୍ତ ।

ଧର୍ମର ଉଦ୍ଧାର ଲାଗି କେତେ ଅକଳନା

ପାପୀକରେ ସହିଅଛି ଦାରୁଣ ଯାତନା ।

Image

 

ଦମୟନ୍ତୀ

 

ହିଂସ୍ରଜନ୍ତୁ-ସମାକୁଳ ନିବିଡ଼ କାନନ ।

ଶୁଭୁନାହିଁ କାହିଁ କେବେ କାକ ପିକ ସ୍ୱନ ।

ଭାଙ୍ଗି ନିର୍ଜନତା ଏକା ପଲ୍ଲବ ମର୍ମର

ଡାକି ସାଇଁ ସାଇଁ ପଶେ ପର୍ବତ କନ୍ଦର ।

ଅର୍ଦ୍ଧଚୀର-ପରିହିତା ଏ ଭୀଷଣ ବନେ

ଭ୍ରମୁଅଛି ସତୀ କିମ୍ପା ବିଷର୍ଣ୍ଣ ବଦନେ ।

ଗଲେ ଚାଲି ଜୀବିତେଶ ଛାଡ଼ି ଏକାକିନୀ

ଦେଖି ସୁଦ୍ଧା ଦୁର୍ବାଦଳ-ତଳପ-ଶାୟିନୀ ।

ତଥାପି ନ ଆସେ ମୁଖେ ନିନ୍ଦା ସ୍ୱାମୀଙ୍କର

ନିନ୍ଦୁଅଛ ସତୀ ତବ ଅଦୃଷ୍ଟ କେବଳ ।

କାହିଁ ସ୍ୱାମୀ କାହିଁ ପୁତ୍ର ହେ ବନଚାରିଣୀ !

ଚାଲ ପିତ୍ରାଳୟେ ଫେରି ବିଦର୍ଭନନ୍ଦିନୀ ।

ଘୁଞ୍ଚିଯିବ ମନ୍ଦାଦୃଷ୍ଟ ନ କର ଶୋଚନା,

ନୁହେ ଚିର ସତୀ ସାଧ୍ୱୀ-ନାରୀ ନିର୍ଯ୍ୟାତନା ।

Image

 

ଧ୍ରୁବ

 

ସପ୍ତମ ବର୍ଷୀୟ ଶିଶୁ ବପୁ ସୁକୁମାର,

ଦାଣ୍ଡ ପହଣ୍ଡରେ ଧୂଳି-ଲୀଳା ଖେଳ ସାର ।

ତ୍ୟଜି ମାତୁ-ସୁକୋମଳ କୋଳ କିପାଁ ବନେ

ମାତି ଅଛି ଯୋଗୀ-ଜନ-ତପସ୍ୟା ସାଧନେ ।

କଠୋର ସାଧନା ଦେଖି ସ୍ୱର୍ଗେ ସୁରେଶ୍ୱର

ସୁଧର୍ମା ସଭାରେ ବସି ଭୟରେ କାତର ।

କମ୍ପୁଅଛି ବ୍ରହ୍ମଲୋକ ବିଷ୍ଣୁ ଶିବ ଲୋକ

କମ୍ପୁଛନ୍ତି ଦିଗପାଳ, କମ୍ପୁଛି ଭୂଲୋକ

ପାଞ୍ଚି କେତେ ବାଧା ବିଘ୍ନ ଅମର ସକଳ

ଟାଳି ନ ପାରନ୍ତି ତିଳେ ପ୍ରତିଜ୍ଞା ଅଟଳ ।

ପାଶେ ଉଭା ଦେଖ ଶିଶୁ, କୃଷ୍ଣ ଜନାର୍ଦ୍ଦନ

ଯାଚି ନିଅ ବର’’ ପଦ୍ମ-ଚରଣ ପୂଜନ ।’’

ଥାଇ ଧ୍ରୂବଲୋକେ ଦେଖ ତବ ବଂଶଧର

ସାଧନା ବିହୁନେ ସିଦ୍ଧି ଲୋଡ଼ନ୍ତି କେବଳ ।

Image

 

ପ୍ରହ୍ଲାଦ

 

ପିତା ଶିବଭକ୍ତ, ତୁମ୍ଭେ ବିଷ୍ଣୁ ଉପାସକ,

କେସନେ ଧୃଷ୍ଟତା ତବ ସହିବେ ଜନକ ?

ତ୍ୟଜ ଶିଶୁ ନାମାବଳୀ, ତୁଳସୀ ଚୟନ,

କର ବିଲ୍ୱପତ୍ରୀ ଶିରେ ଆନନ୍ଦେ ଗ୍ରହଣ ।

ଏ କି ଅବାଧ୍ୟତା । ଗୁରୁ-ଆଦେଶ ଲଘଂନ;

ନିବାରଣ ସତ୍ୱେ ହରି-ନାମ ଉଚ୍ଚାରଣ ।

ଦେଖ ଶିଶୁ, ଏବେ ପିତା-ନୟନ ଘୃମିତ,

ଉଗାରେ ନିଃଶ୍ୱାସ ପୁଣି ହୃଦୟ ଧୂମିତ ।

ଜଳି ଭସ୍ମ ହେବ ତାଙ୍କ ଲୋଚନ ଅନଳେ,

ତୃଣ ସମ ଯିବ ଉଡ଼ି ଗଗନ ମଣ୍ଡଳେ ।

ନାହିଁ ଭୀତି, କି ନିର୍ଭୀକ । ବାଳକ ସରଳ ।

ଗଜପଦେ ବିଦଳିତ ତଥାପି ଅଟଳ ।

ପୁରାଣ ଯୁଗରୁ ଆଜି ରହିଛି କାଳକ

‘‘ସତ୍ୟାଗ୍ରହ’’ ଟାଣ ତବ ଅହିଂସା-ମୂଳକ ।

Image

 

ରାବଣ

 

ଲଙ୍କେଶ ! କନକ ଲଙ୍କା ହେଲା ଛାରଖାର,

ଏବେ ସୁଦ୍ଧା ଶୁଣ ରାଣୀ-ହିତ କଥା ସାର ।

ଅଶୋକ-ବନବାସିନୀ ସତୀଙ୍କ ଚରଣେ

ମାଗ କୃପାଭିକ୍ଷା, ବୀର, ପ୍ରେମାଶ୍ରୁ ନୟନେ ।

ସତୀର ନୟନ-ବାରି, ବ୍ରହ୍ମାଗ୍ନି-ପ୍ରବାହ,

ଲଙ୍କା ଛାର ସାରା ପୃଥ୍ୱୀ କରିପାରେ ଦାହ ।

ପୁଣ୍ୟରେ ବଢ଼ଇ ଧନ ବୀର ବୀରତ୍ୱରେ

ପାପେ ନାଶ ଯାଏ ତାହା ମୂଳ ସହିତରେ ।

କର ମୁକ୍ତ କାରାବାସୁଁ ଅମର ସକଳ,

ଭୁଞ୍ଜ ନିଜ ଉପାର୍ଜିତ ତପଃ ପୁଣ୍ୟ ଫଳ ।

ଜଗତ-ପ୍ରଭୁତ୍ୱ ଲିପ୍ସା ଆପାତ ମଧୁର

ପରିଣାମେ ବିଷମୟ ବିଧାନ ବିଭୁର ।

ଗରବ ଗଞ୍ଜନ ହରି ବୀରତ୍ୱ ଗୁମାନ

ଭାଙ୍ଗିଦେବେ ନିକଟରେ ହୁଅ ସାବଧାନ ।

Image

 

କଂସ

 

ଜାତି-କୁଳ-ପରାଭବୀ, ଦାରୁଣ ପାପିଷ୍ଠ,

ପଠାଅ ଗୋପକୁ ତ୍ୱରା ପୂତନା ଅରିଷ୍ଟ ।

ପ୍ରେମ ରାଜ୍ୟ ବୃନ୍ଦାବନେ ପଶି ଅକାତରେ

ସାଧିବେ ସେ ଶିଶୁହତ୍ୟା ଅନ୍ତୁଡ଼ି ଶାଳରେ ।

ଲଭିବେ ହାତକୁ ହାତ ଯୋଗ୍ୟ ପ୍ରତିକାର;

ରହିବ ଶେଷକୁ ବାକି ତବ ପୁରସ୍କାର ।

କରିବାକୁ ତପ ପାପ-ରାଜ୍ୟ ସଂସ୍ଥାପନ

ନିକ୍ଷେପିଛ ବନ୍ଦିଶାଳେ ସାଧୁ ସନ୍ଥ ଜନ ।

ପଶୁନାହିଁ କର୍ଣ୍ଣବିଳେ କରୁଣ କ୍ରନ୍ଦନ,

ଦୁରାଚାରୀ ଦୁଷ୍ଟବାକ୍ୟେ ସୁବ୍ରତ ଶ୍ରବଣ ।

ବଳି ପଡ଼ିଲାଣି ପାପ, ସହିବ ନା ଧରା,

ଡାକୁଅଛି ଆର୍ତ୍ତସ୍ୱରେ ସେ ମନ୍ଦରଧରା ।

ବଢ଼ୁଛନ୍ତି ଗୋପ ପୁରେ ଜନ୍ମି କାରାଗାରେ

କଂସନିସୂଦନ, ବୀର, ମନେରଖ ବାରେ ।

Image

 

ଏକଲବ୍ୟ

 

ଉଠ ଏକଲବ୍ୟ ! ଫେଡ଼ି ନେତ୍ର ନିମୀଳିତ,

ଦେଖ ପାର୍ଶ୍ୱେ ଦ୍ୱିଜ ଦ୍ରୋଣା-ଚାର୍ଯ୍ୟ ଉପସ୍ଥିତ ।

ସଙ୍ଗେ ପ୍ରିୟତମ ଶିଷ୍ୟ ବୀର ସବ୍ୟସାଚୀ,

ନେବେ ସେ ଦକ୍ଷିଣା ଆଜି ତବପାଶୁଁ ଯାଚି ।

ନାହିଁ କିଛି ନିଜ ସ୍ୱାର୍ଥ, ଫାଲ୍‍ଗୁନିର ଲାଗି

ଅଯଥା ଅପ୍ରିୟ ପ୍ରାପ୍ୟ ଆସିଛନ୍ତି ମାଗି ।

ହେ ଅନାର୍ଯ୍ୟ ! ଏକଲବ୍ୟ ଭକ୍ତ ଯଶୋଧନ,

କର କିପାଁ ଅକାତରେ ଅଙ୍ଗୁଷ୍ଠି ଚ୍ଛେଦନ ?

ଏ ଜଗତ ସ୍ୱାର୍ଥପର ନାହିଁ କି ଧାରଣା ?

ବିରମ ଦକ୍ଷିଣା ଦାନେ କରୁଛି ପ୍ରାର୍ଥନା ।

ବାରୁଣି ଗଗନେ ଭାନୁ ଉଦୟ ସମ୍ଭବେ,

ବୀରର ବଚନ କେବେ ନ ଟଳଇ ଭବେ ।

ଦେଲ ଦାନ ଚିରଦିନ ଯଶ ରବିତଳେ

ଥିବ ଅନାର୍ଯ୍ୟର ଲେଖା ଆର୍ଯ୍ୟ ଫଳକରେ ।

Image

 

ଜନକ

 

ରାଜନ୍ୟମଣ୍ଡଳି, ଦେଖ, ମେଲାଇ ନୟନ,

ଭକ୍ତି ମୁକ୍ତି ତତ୍ତ୍ୱଦର୍ଶୀ ମିଥିଳା-ରାଜନ ।

ଜନ୍ମି ରାଜକୁଳେ କେହ୍ନେ କରନ୍ତି ସାଧନା,

ଲଭିବାକୁ ସତ୍ୟ ଶିବ-ସତ୍ତାର ସୂଚନା ।

ଧନ ରାଜ୍ୟମଦେ ଦୃଷ୍ଟି ତବ ପ୍ରତିହତ-

କ୍ଷମତା ଦର୍ପରେ ହୃଦ ସଦା ଉଦ୍ୱେଳିତ ।

କର ଉପାସନା ନିତ୍ୟ ଧର୍ମ ରାଜସିକ

ନିଶା ପଶା ଆଖେଟକେ ନିରତ ପ୍ରେମିକ ।

ରାଜ୍ୟାଶ୍ରମେ ଦେଖ ରାଜ-ସିଂହାସନେ, ବସି

ସାଧନ୍ତି ସସ୍ତ୍ରୀକ ତପ ଜନକ ରାଜର୍ଷି ।

କୁଟିଳ ସଂସାରେ ଆଉ ନୁହନ୍ତି ସଂସାରୀ,

ପବିତ୍ର ନିଷ୍କାମ କର୍ମ୍ମ-ଯୋଗ-ଅଧିକାରୀ ।

ବିଭାସିତ ରାଜସିକ ରାଜନ୍ୟ ମୁକୁଟେ

ସାତ୍ତ୍ୱିକ ମୟୁଖ ଦେଖ କି ଶୋଭା ପ୍ରକଟେ ।

Image

 

ରଘୁ

 

ବରଦତ୍ତ ! ଚତୁଃଷଷ୍ଟି ବିଦ୍ୟା-ବିଶାରଦ,

ବିଷଣ୍ଣ କାହିଁକି ତବ ବଦନ ବିଶଦ

ଚତୁର୍ଦ୍ଦିଗ କୋଟି ସ୍ୱର୍ଣ୍ଣ ମୁଦ୍ରା ଗୁରୁ ଲାଗି

ଭାବୁଛ କି କାହା ପାଶେ ଯିବ ଭିକ୍ଷା ମାଗି ?

ସୂର୍ଯ୍ୟବଂଶେ ଛନ୍ତି ରାଜା ଦିଲୀପ ନନ୍ଦନ

ରଘୁନାମେ ସୁପ୍ରଥିତ ବୀର ଯଶୋଧନ ।

ବାହୁବଳେ ପରଂତପ ଅଜେୟ ସଂସାରେ

ଦାତାପଣେ କେହି ନାହିଁ ତାଙ୍କୁ କଳିପାରେ ।

ଦୀନ ଦୁଃଖ ବିମୋଚନେ ରଘୁ ଅପ୍ରତୁଳ

ବୀରତ୍ୱ ଦାତୃତ୍ୱ ତହିଁ ଏକାଧାରେ ଠୁଳ ।

ମୃଦପାତ୍ରେ ଦେଖି ବଟୁ ରାଜା ଜଳପାନ

ଭାବୁଛକି ? ଅସମ୍ଭବ କୋଟି ସ୍ୱର୍ଣ୍ଣଦାନ ?

ରୁହ, ଆଜି ମୁଞ୍ଚ ତବ ହୃଦୟ ବିଷାଦ,

କାଲି ଘୁଞ୍ଚିଯିବ ଚକ୍ଷୁ-କର୍ଣ୍ଣର ବିବାଦ ।

Image

 

ବାଲ୍ମୀକି

 

ଦ୍ୱିଜ ରତ୍ନାକର ଏକା ନିବିଡ଼ କାନନେ

ଭ୍ରମୁଅଛ, ଖେଳେ ଦୁଷ୍ଟ-ଅଭିସନ୍ଧି ମନେ ।

କୁଟୁମ୍ବ ଜଞ୍ଜାଳେ ସଦା ହୃଦୟ ଚଞ୍ଚଳ,

ତେଣୁ ଦସ୍ୟୁବୃତ୍ତି ତବ ସମ୍ବଳ କେବଳ ।

ଏ ବିଶ୍ୱ ସୃଷ୍ଟିରେ କେତେ ଅମୂଲ୍ୟ ଜୀବନ

କଲଣି ବିନାଶ ଆହା, ହେ ନଷ୍ଟଚେତନ !

ଭଜ ରାମ ନାମ, ତବ ଦୁଷ୍ଟ-ଆଚରଣ

ହେବ ତବ ଶତବର୍ଷ ପାପ-ବିମୋଚନ ।

ଜରାଜୀର୍ଣ୍ଣ ଦେଉଳରେ ଦୀପଶିଖା ଜଳି

ସୂଚିଭେଦ୍ୟ ତମୋରାଶି କ୍ଷଣେଦିଏ ଦଳି ।

ମାତା ବୀଣାପାଣି ବୀଣା ଆଦ୍ୟେ ତୁମ୍ଭକରେ

ଝଙ୍କାର ବାଜିବ ପରା ତମସା ତୀରରେ !

ସାଧି ତପ, ଦସ୍ୟୁ, ଘେନ ଆଖ୍ୟା ବାଲମୀକ

ଅଧମ ସନ୍ତାନେ ପିତା-କରୁଣା ଅଧିକ ।

Image

 

ବିଭୀଷଣ

 

ବିଭୀଷଣ ! ଅସମୟେ ଆତ୍ମୀୟ ସ୍ୱଜନ

ତ୍ୟଜ, ତୁମ୍ଭ ପକ୍ଷେ ନୁହେ ଏ ରୀତି ଶୋଭନ ।

ଲଙ୍କାଗଡ଼ ଦ୍ୱାରେ ଶତ୍ରୁ-ସେନା ଅକଳନା

ଅଶନି ନିଃସ୍ୱନେ ଉଚ୍ଚେ କରନ୍ତି ତର୍ଜନା ।

ଦ୍ୱିଷଜ ପ୍ରତାପେ ଲଙ୍କା-ଜଳଧି ଚଞ୍ଚଳ,

ଦେଖି ନର କପି ଭ୍ରାତା-ହୃଦୟ ବିକଳ ।

ବିପକ୍ଷ ଶିବିରେ ଲଭି କାହାର ପ୍ରେରଣା

ରାମଭଦ୍ର ଲଙ୍କାଜୟ କରୁଛ ମନ୍ତ୍ରଣା ।

ଦଶାନନ-ସ୍ୱର୍ଣ୍ଣଲଙ୍କା-ସ୍ୱର୍ଣ୍ଣ ସିଂହାସନ

ଲଭିବାକୁ ବୀର, ତବ ବଳିଲାକି ମନ ?

ହିତବାଦୀ ଶୁଦ୍ଧମତି ସାତ୍ତ୍ୱିକ ପ୍ରବର

ତୁମ୍ଭପକ୍ଷେ ସିଂହାସନ କିଞ୍ଚିତ ମାତର ।

ଧର୍ମରାଜ୍ୟ ସଂସ୍ଥାପନେ ଧର୍ମ ସହାୟତା

କରୁଅଛ ତ୍ୟଜି ପାପୀ-ସ୍ୱଜନ ମମତା ।

Image

 

ବ୍ୟାସ

 

ବଦରିକାଶ୍ରମେ ଦେଖ ଅଜିନ ଆସନେ

ବସି ଦ୍ୱୈପାୟନ ହର୍ଷ-ପୁଲକ ନୟନେ

କରୁଛନ୍ତି କୃଷ୍ଣନାମ-ମହିମା କୀର୍ତ୍ତନ

ପ୍ରେମ-ପୁଲକିତ-ମୁଖ ପ୍ରଶାନ୍ତ ପ୍ରସନ୍ନ ।

ପରସର ଔରସରେ ଧୀବରୀ କୁମର

ଜ୍ଞାନ ସାଧନାର ବଳେ ମହର୍ଷି ପ୍ରବର

ପ୍ରଚାରନ୍ତି ଶିଷ୍ୟମେଳେ ନବଯୁଗ ଧର୍ମ

ଆର୍ଯ୍ୟର ସାଧନାସିଦ୍ଧ ‘‘ନିଷ୍କାମ କରମ’’

ମନ୍ଥି ଧର୍ମଶାସ୍ତ୍ର ସବୁ ରଚି ଗୀତାସାର

ଢାଳୁଛନ୍ତି ଜ୍ଞାନାମୃତ ମନ୍ଦାକିନୀ ଧାର ।

ରଚି ମହାକାବ୍ୟ ବହୁ-ଉପନ୍ୟାସ ଚ୍ଛଳେ

ଦେଉଛନ୍ତି ଲୋକଶିକ୍ଷା ପ୍ରତି ଘରେ ଘରେ ।

ଆର୍ଯ୍ୟ ଅନାର୍ଯ୍ୟର ମଧ୍ୟେ ମୈନ୍ତ୍ରୀ ସଂସ୍ଥାପନା

ଥିଲା ହେ ମହର୍ଷି ତୁମ୍ଭ ପରମ ସାଧନା ।

Image

 

ଉଦ୍ଦାଳକ

 

ଦିବା ଶେଷ, ଭାନୁ ଏବେ ଗଳେ ଅସ୍ତାଚଳେ,

କାନନରୁ ଗାଭୀପଲ ଫେରିଲେ ଚଞ୍ଚଳେ ।

ପିନ୍ଧି କଳାମେଘୀ ଶାଢ଼ୀ ଆସିଲା ଯାମିନୀ

ଅନ୍ଧକାର ଜଳସ୍ଥଳ ଘୋଟିଲା ମେଦିନୀ,

ଋଷି ସନ୍ଦୀପନ ସାରି ସନ୍ଧ୍ୟା ବନ୍ଦାପନା

ଗଲେ ଗୋଷ୍ଠେ କରିବାକୁ ଗୋରୁଙ୍କ ଅର୍ଚ୍ଚନା

ଦେଖିଲେ ନାହାନ୍ତି ତହିଁ ଶିଷ୍ୟ ଉଦ୍ଦାଳକ

ଗୋବତ୍ସା ପାଳନ ତାଙ୍କ ପ୍ରିୟ ମାଣବକ ।

ଆଜ୍ଞା ମାନି ଅନ୍ଧ ବଟ କାନନ ଭିତରେ

ପଡ଼ିଛନ୍ତି ଏବେ ଜଳ-ବିହୀନ କୂପରେ ।

ଉଠ ଉଦ୍ଦାଳକ, ଗୁରୁ-ଭକ୍ତିର ପରୀକ୍ଷା

ହେଲା ଶେଷ, ପୂର୍ଣ୍ଣ ତବ ଧର୍ମଶାସ୍ତ୍ର ଶିକ୍ଷା

ଚାହିଁ ମେଲି ଚକ୍ଷୁ ତବ ଉଜ୍ଜଳ ବିମଳ,

ଯାଅ ଘରେ ଘେନି ଗୁରୁ-ଆଶିଷ ସମ୍ବଳ ।

Image

 

ଆରୁଣି

 

ଶ୍ରାବଣର ନୀଳ ନଭଃ ଘନ ମେଘାଚ୍ଛନ୍ନ

ଝଟକଇ ସୌଦାମିନୀ ତହିଁ ଘନ ଘନ

ରହି ରହି ବାରି ଧାରା ପଡ଼େ ଅବିରତ

ଝଡ଼ ତୋଫାନରେ ତନୁ ଶୀତେ ରୋମାଞ୍ଚିତ ।

ସଲିଳ ପ୍ରବାହେ ଧାନ୍ୟ କେଦାର ପୂରିତ,

ଡ଼େଇଁ ଚାଲିଯାଏ ବାରି ସଦା କଲ୍ଲୋଳିତ ।

ହେ ଆରୁଣି । ଏ ଦୁର୍ଦିନେ କ୍ଷେତ୍ରଜଳ ପଥେ

ଆବୋରି ଶୋଇଛ କିପାଁ କା ଆଦେଶମତେ ?

ଆବର୍ଜନା ଯୁକ୍ତ ଆର୍ଦ୍ର କୌପୀନ ବସନ

ଆପାଦ ମସ୍ତକ ତବ କର୍ଦ୍ଦମେ ମଳିନ ।

ଉଠ ହେ ଆରୁଣି । ଦେଖ ପାର୍ଶ୍ୱେ ସାନ୍ଦୀପନ

ଢାଳି ସ୍ନେହାଶିଷ ଶିର କରନ୍ତି ଚୁମ୍ବନ ।

ଲଭିଅଛ ପରୀକ୍ଷାରେ ତୁମ୍ଭେ ଶୀର୍ଷସ୍ଥାନ

ଗୃହେ ଯାଅ ଘେନି ଭକ୍ତି-ଯୁକ୍ତ ଶୁଦ୍ଧ ଜ୍ଞାନ ।

Image

 

ଅହଲ୍ୟା

 

ସାଧ୍ୱି ! ତୁମ୍ଭ ପତିଧର୍ମ ଇନ୍ଦ୍ର କଲେ ନଷ୍ଟ,

ପରଦୋଷେ ଭାଗୁଅଛ ଅବିସହ କଷ୍ଟ ।

କାହିଁ ସତ୍ୟ ଯୁଗ ପୁଣି ତ୍ରେତା ଶେଷ ଆସି

ନ ଘୁଞ୍ଚିଲା ତପୋବଳେ ତବ ଦୁଃଖରାଶି ।

ମନଃପ୍ରାଣ କର୍ମକ୍ଷେମ ଶରୀର ପାଷାଣ,

ଅନୁତାପ ଦୁଃଖେ ରାମ-ନାମ ଉଚ୍ଚରଣ

ଚାଲି ଯାଉଅଛି କେତେ ଗ୍ରୀଷ୍ମେ ବର୍ଷା ଶୀତ

ସହି ସହି ତନୁ ତବ ଜଡ଼ତ୍ୱେ ପିହିତ ।

କେତେ ବନ ପଶୁ ପକ୍ଷୀ-ପଦ ବିଦଳିତ

ତେବେ ସୁଦ୍ଧା କୃପାମୟ-କରୁଣା ବଞ୍ଚିତ ।

କଲେ ପ୍ରାତେ ତୁମ୍ଭ ନାମ ହୃଦୟେ ସ୍ମରଣ

କରନ୍ତି ଶିକ୍ଷିତେ କେତେ ନାସିକା କୁଞ୍ଚନ ।

ନୋହିଲ ନିଷ୍ପାପା ସାଧି କଠୋର ତପସ୍ୟା,

କାହାକୁ କହିବା ଏହା ହେ ଆର୍ଯ୍ୟନମସ୍ୟା ।

Image

 

ହରିଶ୍ଚନ୍ଦ୍ର

 

ଅମର-ବାଞ୍ଚିତ ତୁମ୍ଭ ରାଜସିଂହାସନ,

କର କିମ୍ପା ଭିକ୍ଷୁ କରେ ରାଜା ସମର୍ପଣ ?

ନୁହନ୍ତି ସହଜ ଋଷି ଜଟିଳ କୁଟିଳ

ଦେବତାଙ୍କୁ ଖାଇ ଶେଷେ ଗ୍ରାସିବେ ମନ୍ଦିର ।

ନ ଶୁଣିଲ କାହା କଥା ହେଲ ଦେଶତ୍ୟାଗୀ

ସ୍ତ୍ରୀ ପୁତ୍ର ସହିତ ଆହା ବହୁ ଦୁଃଖଭାଗୀ ।

ଦ୍ୱିଜଗୃହେ ସତୀ-ଦାସ୍ୟ-ବୃତ୍ତ ଆଚରଣ

ତଥାପି ମହର୍ଷି ବାଞ୍ଛା ହେଲା ଅପୂରଣ ।

ଭାବନା କାହିଁକି ! ହୁଅ ଦାସ ଚାଣ୍ଡାଳର

ତିନିକୋଟି ସ୍ୱର୍ଣ୍ଣମୁଦ୍ରା ମିଳିବ ସତ୍ୱର ।

ଦାନର ଦକ୍ଷିଣା ଦେଇ ଏବେ ମହାମତି

ପାଳ ପ୍ରଭୁ ଆଜ୍ଞା ବାନ୍ଧି ଶ୍ମଶାନେ ବସତି ।

ଯାବତ ପ୍ରଳୟ ‘‘ସତ୍ୟ-ବାଦୀ ଦାନବୀର’’

ସୁବର୍ଣ୍ଣ ଫଳକେ ନାମ ରହିଲା ମହୀର ।

Image

 

ଭଗୀରଥ

 

ଋଷି ଶାପାନଳେ ଦଗ୍ଧ ସଗର ନନ୍ଦନ

ଲଭନ୍ତି ବହୁତ କଷ୍ଟ ଜୀବନ୍ତ ମରଣ ।

ପୌତ୍ର ଅଂଶୁମାନ ପୁଣି ଦିଲୀପ ଭୂପତି

କରି ନ ପାରିଲେ ନିଜ ବଂଶର ସଦ୍ଗତି ।

କେଡ଼େ ଦୁଃସାହାସ ତବ ଶିଶୁ ଭଗୀରଥ !

ସାଧିବାକୁ କର ଚେଷ୍ଟା ପିତା ମନୋରଥ ।

ସ୍ୱଭାବେ ବାଳକମତି ସରଳ ତରଳ,

ରାଜପୁତ୍ର ତନୁ ତବ କୁସୁମ କୋମଳ ।

ସାଧିବାକୁ ନୁହ କ୍ଷମ କଠୋର ସାଧନା,

ଗଙ୍ଗା ଆନୟନେ କିମ୍ପା ପ୍ରବଳ ବାସନା ?

ଧନ୍ୟ ଶିଶୁ ଧନ୍ୟ ତବ ମାତା ପ୍ରସବିନୀ,

ତପୋବଳେ ଭୂଭାରତେ ବହେ ମନ୍ଦାକିନୀ ।

ଦେଖ ଭଗୀରଥ, ଥାଇ ଅମର ସଦନେ

ବଂଶଧର ଜୀବନ୍ମୃତ ଭାରତ ଭବନେ ।

Image

 

କୁମ୍ଭକର୍ଣ୍ଣ

 

କୁମ୍ଭକର୍ଣ୍ଣ ! ତବ ବାହୁ-ବଳେ ସୁରକ୍ଷିତ

ସ୍ୱର୍ଣ୍ଣଲଙ୍କା ଲଣ୍ଡ ଭଣ୍ଡ ଏବେ ଅରକ୍ଷିତ ।

ପରପଞ୍ଚ ଭକ୍ଷ୍ୟ କପି ଭଲ୍ଲୁକ ଭ୍ରୁକୁଟି

ଦେଖି ଲଙ୍କା ଯାଉଅଛି ଭୟରେ ସାଙ୍କୁଟି ।

ଜୀବନ ବିକଳେ ଆଜି ଭାଇ ଦଶାନନ

କରେ ଯତ୍ନ ଭାଙ୍ଗିବାକୁ ପ୍ରଗାଢ଼ ସ୍ୱପନ ।

ବାଜେ ବୀର ବାଜା କେତେ ଶଙ୍ଖ ଭେରୀ ତୁରୀ

ଗମ୍ଭୀର ନିନାଦେ ଅବଧି ପଡ଼ଇ ଉଚ୍ଛୁଳି ।

ଦୁଷ୍ଟ ଦନ୍ତାବଳ ପଦେ ଅଙ୍ଗ ବିମର୍ଦ୍ଦିତ,

ନୁହେ ତେବେ ଜାଗରଣ, ନିଶ୍ଚିନ୍ତେ ନିଦ୍ରିତ ।

ତୁମ୍ଭ ସମ ବୀର ଲଭି କାଳନିଦ୍ରା ଘୋର

ଉଠେ ନାହିଁ ଶତ ଯତ୍ନେ ଜନ୍ମଭୂମି ମୋର ।

ଅସମୟ ନିଦ୍ରାଭଙ୍ଗ ଅକାଳ ମରଣ;

ତେଣୁ କି ଜାଗେ ନା ମାତା କରି ତା ସ୍ମରଣ ।

Image

 

ସୂର୍ପଣଖା

 

ସୂର୍ପଣଖେ । ଆଜି ତବ ବେଶ ବିମୋହନ

ସଂଯତ ଇନ୍ଦ୍ରିୟ ମୁନି-ମନ ପ୍ରଲୋଭନ !

କୁଟିଳ ନୟନେ ଆହା ତରଳ ଚାହାଣି

ଯତି ଋଷି-ଧୈର୍ଯ୍ୟମୂଳ କ୍ଷଣେ ଦିଏ ହାଣି ।

ଲଳିତ ମଧୁର ଭାଷା ବୀଣା ବାଣୀ ଜିଣା

ଇତର ମାନବ କିବା ! ଯୋଗୀ ଋଷି କିଣା ।

ଯୋଗୀଜନ ପୂଜ୍ୟ ରାମ-ଭଦ୍ର ବା ଲକ୍ଷ୍ମଣ,

ଭୁଲିବେ ନା ପ୍ରଲୋଭନେ ବେଶ ଅକାରଣ ।

ଲଭିବ ସୌମିତ୍ରୀ କରେ ଯୋଗ୍ୟ ପୁରସ୍କାର

ନାସିକା ଛେଦନ ଅଙ୍ଗ-ସୌଷ୍ଟବ ବିକାର ।

ଘରେ ଯାଅ ଫେରି ତ୍ୱରା ରମଣୀ ରତନ !

କର ପରାମର୍ଶ ଲଙ୍କା-ଖାଣ୍ଡବ ଦହନ ।

ସୂର୍ପଣଖେ ! ତୁମ୍ଭ ସମ ବିଧବା ଭଗିନୀ

ଘରେ ଘରେ ଛନ୍ତି କେତେ ମଙ୍ଗଳକାରିଣୀ ।

Image

 

କାଳନେମି

 

ଗନ୍ଧକାଳି ସରୋବର-ତୀର ରମ୍ୟ ସ୍ଥାନ

ବାରମାସି ଫୁଲ ଫଳ ତହିଁ ବିଦ୍ୟମାନ ।

ମାୟାବିଦ କାଳନେମି ଦଶାନନ-ଚର

ରଖିଅଛି ପର୍ଣ୍ଣକୁଟୀ ଆଶ୍ରମ ସୁନ୍ଦର ।

ମାୟାବୀ-କପାଳେ ଚାରୁ ଭସ୍ମ ବିଲେପନ

କରେ ଜପାମାଳି, କଣ୍ଠେ ରୁଦ୍ରାକ୍ଷ ଶୋଭନ ।

ନିରନ୍ତର ମୁଖୁଁ ରାମ-ନାମ ଉଚ୍ଚାରଣ

ପତିତ ପାବନ ଭଦ୍ର ଜାନକୀ-ରମଣ ।

ରୁହ ହନୁମାନ ଏଥି ମୁଞ୍ଚ ତବ କ୍ଳାନ୍ତି

ଖାଇ ବନ ମଧୁଫଳ ଲଭି ପ୍ରାଣେ ଶାନ୍ତି ।

ଅବଗାହି ସରୋବରେ କୁମ୍ଭୀରିଣୀ ପ୍ରୀତି

କର ସମ୍ପାଦନ ବୀର ଯଥା ଶାସ୍ତ୍ର ରୀତି ।

ନ ଭୁଲ ଆତିଥ୍ୟ ରାମ-ଭୁକ୍ତ ମହାଭାଗ,

ନେବ ମନେରଖି କାଳ-ନେମି ଲଙ୍କାଭାଗ ।

Image

 

ଗୁହକ

 

ଚାରି ପୁତ୍ର ସଙ୍ଗେ ଗଙ୍ଗା-ସ୍ନାନେ ଦଶରଥ

ଯାନ୍ତି ସୈନ୍ୟ ପଦରଜେ ରୁଦ୍ଧ ଶୂନ୍ୟ ପଥ ।

ମୁଖରାବ କୋଳାହଳେ ନିବିଡ଼ କାନନ

ଭାଙ୍ଗିପଡ଼େ, ବନ୍ୟ ପଶୁ-ସଶଙ୍କିତ ମନ ।

ଦେଖିଣ ଚାଣ୍ଡାଳ ରାଜା ରାଜ୍ୟ ଧରଷଣ

ଆସି ପଥେ ଦଶରଥେ ଆଗୁଳେ ବହନ ।

ବାଧିଲା ଉଭୟ ମଧ୍ୟେ ତୁମୁଳ ସମର;

କି ବିଚିତ୍ର ଧନୁର୍ବିଦ୍ୟା ଶିକ୍ଷା ଗୁହକର !

ହାରିଲ, ଗୁହକ, ଚେଷ୍ଟା-କଲ ପ୍ରାଣପଣ,

ସୂର୍ଯ୍ୟବଂଶ ସଙ୍ଗେ ବୀର, ବାଦ ଅକାରଣ ।

କାହଁକି ବିଷାଦ ? ଜୟ ନୁହେ ଅସ୍ତ୍ରଜୟ,

କର ଧର୍ମଯୁଦ୍ଧେ ଏବେ ଶତ୍ରୁ ପରାଜୟ ।

ଦେଖ ରାମଭଦ୍ର ନବ-ଦୁର୍ବାଦଳ ତନୁ,

ରହିବେ ସେ ସାକ୍ଷୀ ଯୁଦ୍ଧେ, ମୁଞ୍ଚ ତାପ ମନୁ ।

Image

 

ହନୁମାନ୍

 

ବନୁ ଫେରି ରାମଚନ୍ଦ୍ର ରାଜ୍ୟେ ଅଭିଷିକ୍ତ,

ଅଯୋଧ୍ୟାନିବାସୀ ଆଜି ହର୍ଷେ ପୁଲକିତ ।

ସୁବର୍ଣ୍ଣ କମଳ ମାଳ ମଘବା-ବାଞ୍ଛିତ

ସୁଗ୍ରୀବ ଗଳାରେ ରାମ କଲେ ବିଲମ୍ବିତ ।

ପାଇଲେ ଅଙ୍ଗଦ ବୀର ଅମୂଲ୍ୟ ଭୂଷଣ,

ବାନର ଭଲ୍ଲୁକ ବୀରେ ମୁକୁତା କାଞ୍ଚନ ।

ସଭାସ୍ଥଳେ ବସି ହନୁ ଲଭି ଅପମାନ

ଚିରନ୍ତି ଧରାକୁ ଘେନି ଭକତି ଗୁମାନ ।

ଜନନୀ ଜାନକୀ ଏବେ କାଢ଼ି କଣ୍ଠହାର

ଆନନ୍ଦେ ଲମ୍ବାଇ ଦେଲେ ମାରୁତି ଗଳାର ।

ଛିଣ୍ଡାଇ ଫିଙ୍ଗିଲ ହାର, ଏ କି ଅବିଚାର,

ନାହିଁକି ତହିଁରେ ବୀର, ରାମ ନାମ ସାର ?

ହସୁଛନ୍ତି ସଭାଜନେ, ବିଦାରି ହୃଦୟ

ଦେଖାଅ, ଭକତ, ଅସ୍ଥି ରାମ ନାମମୟ ।

Image

 

ପୁରୁ

 

ଶୁକ୍ର ଶାପେ ଦେଖ ଧୀର ଶର୍ମିଷ୍ଠା ନନ୍ଦନ

ପିତା ତନୁ ଜରାଜୀର୍ଣ୍ଣ-ମଳିନ ବିବର୍ଣ୍ଣ ।

ସାରିଲାଣି ମେଦ ମାଂସ ବଳହରା ଜରା,

ନ ଚଳଇ ପାଦ ତିଳେ ବିନା ଯଷ୍ଟିଭରା ।

ଦିବ୍ୟ ଅବଧାନେ କେହି ପିତା ଅନୁରୋଧ

ନ ଶୁଣନ୍ତି ଜଣେ ହେଲେ ସନ୍ତାନ ନିର୍ବୋଧ ।

ତୁମ୍ଭେ ପିତା-ପ୍ରିୟତମ କନିଷ୍ଠ କୁମର

ପାଳି ପିତୃ-ଆଜ୍ଞା କର ଜୀବନ ସଫଳ ।

ଘେନ ଜରା ଅଙ୍ଗେ ପିତା ଲଭନ୍ତୁ ଯୌବନ

ତ୍ୟଜି ତୁମ୍ଭେ ଯୌବନର ବିଳାସ ବ୍ୟସନ ।

ଜନକଙ୍କ ସ୍ନେହାଶିଷ ଘେନ, ପୁରୁ, ଶିରେ,

ଯଥା ଯୋଗ୍ୟ ପୁରସ୍କାର ମିଳିବ ଅଚିରେ ।

ପିତୃଭକ୍ତି ବଳେ ତୁମ୍ଭେ କରିବ ମଣ୍ଡନ

ମର୍ତ୍ତ୍ୟ-ସ୍ୱର୍ଗ ଭାରତର ସ୍ୱର୍ଣ୍ଣ ସିଂହାସନ ।

Image

 

ପୁରୋଚନ

 

ଯାଅ ପୁରୋଚନ ତ୍ୱରା ଘେନି ଜତୁଶଣ

ଦେଖାଅ ବାରଣାବତେ କାରିଗର ପଣ ।

ଦେବେ ରାଜା ଅର୍ଦ୍ଧରାଜ୍ୟ ବସି ଆଜୀବନ

ବିଳସିବ, ହେବ ତବ ଦୁଃଖ ବିମୋଚନ ।

ଜରାଜୀର୍ଣ୍ଣ ରୋଗକ୍ଲିଷ୍ଟ ଏ ବୃଦ୍ଧ ବୟସେ

ଶ୍ୱାନ ବୃତ୍ତ ଆଚରଣ କେ ପୋଷେ ମାନସେ ।

ଘୃତ ଜତୁ ସମାକୀର୍ଣ୍ଣ ବିଳାସ ଭବନ

ବୃଦ୍ଧ‘‘ଜରଦ୍ଗବ’’ କର କୌଶଳେ ରଚନ ।

ଚଉପାଶେ ବିଷଦଗ୍ଧ ଶାଣ ଅସ୍ତ୍ରାଗାର

ଗଭୀର ପରିଖା ପୁଣି କରିଣ ବିସ୍ତାର ।

ସର୍ବ ଗୁଣନିଧି ଜିତେ-ହ୍ରିୟ ସତ୍ୟବାଦୀ

ଧର୍ମଶୀଳ ପଞ୍ଚଭାଇ ନୁହନ୍ତି ବିବାଦୀ ।

ବଞ୍ଚିବେ ସେ ଧର୍ମବଳେ ବୃଦ୍ଧ ପୁରୋଚନ

ନିଜ ‘‘ଚିତା’’ ଲାଗି ସିନା କରୁଛ ଯତନ ।

Image

 

ବିଶ୍ୱାମିତ୍ର

 

ରିପୁକୁଳ ବିମର୍ଦ୍ଦନ ହେ ଗାଧିନନ୍ଦନ ।

ଭିକ୍ଷୁ ଦ୍ୱିଜ ଗାଭୀ ପ୍ରତି ବଳିଲା କି ମନ ?

ଦେଲେ କୋଟି ଧେନୁବତ୍ସା ସ୍ୱର୍ଣ୍ଣ ବିମଣ୍ଡିତ

ବଶିଷ୍ଠ ମାନସ କେବେ ନୁହେ ଆପ୍ୟାୟିତ ।

ନିଜ କରାର୍ପିତା ଦୁର୍ବା-ପାଳିତା ନନ୍ଦିନୀ

ଛାଡ଼ିବେ ନା ହିଜ କେବେ ବାଞ୍ଛା ପ୍ରସବିନୀ ।

କ୍ଷାତ୍ର ଧର୍ମ-ଇଷ୍ଟସିଦ୍ଧି ବଳେ କିବା ଛଳେ;

ଭାବନା କାହିଁକି ନିଅ ଧେନୁ ରାଜବଳେ ।

ଫଳମୂଳାହାରୀ ଦ୍ୱିଜ ତପସ୍ୱୀ ସହଜେ,

କି ଧୃଷ୍ଟତା । ବୀର ତବ ଅନୁଜ୍ଞା ବରଜେ ।

ଏ କି ହେଲା ବିଶ୍ୱାମିତ୍ର । ତୁମ୍ଭ ସୈନ୍ୟବଳ,

ଯୁଦ୍ଧେ ପରାଙ୍ମୁଖ ଏବେ ଜୀବନ ବିକଳ ।

ନ ପାରଇ କ୍ଷାତ୍ର ତେଜ ବ୍ରାହ୍ମ ତେଜ ସହି,

ଅରଣି ସ୍ଫୁଲିଙ୍ଗ ପାରେ ସାରା ବିଶ୍ୱ ଦହି ।

Image

 

ବଶିଷ୍ଠ

 

ଜିତେନ୍ଦ୍ରିୟ ଜିତକ୍ରୋଧ ଆହେ ତପୋଧନ !

ବିଶ୍ୱାମିତ୍ର ସଙ୍ଗେ ବାଦ ନୁହଇ ଶୋଭନ ।

ଧ୍ୟାନ ତୁମ୍ଭ ପରମାତ୍ମା-ଆତ୍ମ-ସମ୍ମୀଳନ

ଅଧ୍ୟାତ୍ମ-ଗୀତିକା ପଦ୍ମ-ମଧୁ ନିଷ୍ପୀଡ଼ନ ।

ସୁଭକ୍ତି ସୁବୁଦ୍ଧି ଜନ-ମାନସ ଭ୍ରସଳ

ପିଇ ମକରନ୍ଦ ହେବ ପ୍ରେମରେ ବିହ୍ୱଳ ।

ଧନ୍ୟ ତପୋଧନ ତବ ତପସ୍ୟା ସାଧନା,

ପାଦପଦ୍ମ କାମ କ୍ରୋଧ କରନ୍ତି ଅର୍ଚ୍ଚନା ।

ଜନମାଇ ବିଶ୍ୱାମିତ୍ର ବିବାଦ ବିଶେଷ

କରି ନ ପାରିଲେ ଚିତ୍ତେ ବିକାର ଉନ୍ମେଷ ।

ଇକ୍ଷ୍ୱାକୁ ବଂଶର ରାଜା ତୁମ୍ଭ ବୁଦ୍ଧି ବଳେ

ପାଳି ପ୍ରଜା ରଖିଗଲେ ଯଶ ଭୂମଣ୍ଡଳେ ।

‘‘ରାଜସିକ ଧର୍ମେ କେବେ ରାଜ୍ୟ ସଂସ୍ଥାପନ

ନୁହେ ଚିର’’ ତବ ନୀତି-ପ୍ରମାଣ ବଚନ ।

Image

 

ସତ୍ୟଭାମା

 

ମାନିନି ! ମିଳିଲା ଏବେ ତବ ମାନମୂଲ,

ଶୋହେ ଅଳିନ୍ଦରେ ସ୍ୱର୍ଗ-ପାରିଜାତ ଫୁଲ ।

ନାରଦ ବଚନେ କର ଏବେ ବ୍ରତରାଜ

ହେବେ କାନି ପଣନ୍ତରେ ବନ୍ଧା ବ୍ରଜରାଜ ।

ପୂଜି ପୂର୍ବେ ଏହି ବ୍ରତ ପର୍ବତ-ନନ୍ଦିନୀ ।

ହେଲେ ମହାଯୋଗୀଚନ୍ଦ୍ର-ମୂଢ଼-ଅର୍ଦ୍ଧାଙ୍ଗିନୀ ।

ସ୍ୱାମୀସୋହାଗିନୀ ପୁଣି, ସରଗେ ଇନ୍ଦ୍ରାଣୀ

ହେଲେ ଏକମାତ୍ର ଇନ୍ଦ୍ର-ପ୍ରିୟ ପାଟରାଣୀ ।

କଲ ବ୍ରତରାଜ, ସତି, କୌତୁକୀ ନାରଦ

ନେଲେ ଦାନ କୃଷ୍ଣଚନ୍ଦ୍ର, ସରିଲା ସମ୍ପଦ ।

ବସନ ଭୂଷଣ ଫିଙ୍ଗି ଦେଖ ପୀତାମ୍ବର

ଭସ୍ମ ବ୍ୟାଘ୍ରାଜିନେ ଆହା ଦିଶନ୍ତି ସୁନ୍ଦର ।

ତୁଳାଦାନେ, ସତ୍ୟା, ତୁମ୍ଭ ଭାଙ୍ଗିଲା ଗରବ,

ନାମୀଠାରୁ ଦେଖ ବଡ଼ ନାମର ବିଭବ ।

Image

 

ନଳ

 

ନିଷଧାଧିପତି ନଳ ଧୀର ଜିତେନ୍ଦ୍ରିୟ

ଯଶସ୍ୱୀ ତେଜସ୍ୱୀ ବୀର ସର୍ବଜନପ୍ରିୟ ।

ରତିପତି-କାନ୍ତି-ଜିଣା ତନୁ ସୁମୋହନ

ତ୍ରିଦିବବାସିନୀ ସୁର-ରମଣୀ-ରଞ୍ଜନ ।

ମୁଗ୍ଧା ରୂପ ଗୁଣେ ତୁମ୍ଭ ସତୀ ଦମୟନ୍ତୀ

ଦେଲେ ବରମାଲ୍ୟ ଗଳେ ତ୍ୟଜି ସୁରପତି ।

ଲଭି ଅପମାନ ତେଣୁ ଅମର ସକଳ

ଦେବାକୁ ଉଦ୍ଗିଗ୍ନ ଏବେ ତାର ପ୍ରତିଫଳ ।

ଛାଡ଼ି ଧର୍ମ ରାଜନୀତି ନଳ ଦୈବବଶେ

ମାତିଲେ ଦିବସ ନିଶି ଅକ୍ଷକ୍ରୀଡ଼ା ରସେ ।

ହାରି ରାଜ୍ୟପଦ ନିଜ ବସନ ଭୂଷଣ

କାନ୍ତା ସଙ୍ଗେ କଲେ ଧୀର କାନନେ ଭ୍ରମଣ ।

ବୈଦର୍ଭୀ ବିରହୀ ପୁଣି ଶେଷ କ୍ରୀତଦାସ

ଛତ୍ରପତି ନଳ ରାଜା କାଟେ ଘୋଡ଼ାଘାସ ।

Image

 

ଯଯାତିକେଶରୀ

 

ପୁଣ୍ୟତୋୟା ବୈତରଣୀ-ପୁଲିନବିହାରୀ

ଶୈବ ଧର୍ମ ପ୍ରଚାରକ ଶୁଚି ସଦାଚାରୀ

ଉତ୍କଳ-ମଉଡ଼ମଣି ଯଯାତିକେଶରୀ

ଉତ୍କଳ ଦୁର୍ଦ୍ଦଶା ଦେଖ ବିମାନେ ବିଚରି ।

ନାହିଁ ପୂର୍ବ ଗଉରବ ଉତ୍କଳର ଆଜି

ଭାଙ୍ଗି ଛାରଖାର ଆହା ସବୁ କୀର୍ତ୍ତିରାଜି ।

ବାଜେ ପ୍ରତିବର୍ଷ ଦେଶେ ଭେରୀ ଦୁର୍ଭିକ୍ଷର,

ଭଜୁଛନ୍ତି ଲୋକେ ମୃତ୍ୟୁ ଅକାଳ କବଳ ।

ନାହିଁ ଆଉ ଉତ୍କଳର ପ୍ରାଚୀନ ବିଭବ,

ନୁହେ ନାଭିଗୟା ଶିରୀ-ଉଦ୍ଧାର ସମ୍ଭବ ।

କେତେ କଥା କାଳଗର୍ଭେ ହେଲାଣି ବିଲୀନ

ରଖିଛି ଦଶାଶ୍ୱମେଧ ତବ କୀର୍ତ୍ତି ଚିହ୍ନ ।

ଯଶୋଧନ । କେବେ କିହେ ଏ ଦୀନ ଉତ୍କଳ

ଭୁଲିବ କି ଭାଦ୍ର ଶୁକ୍ଳ ଦ୍ୱାଦଶୀ ବାସର ।

Image

 

ଲଲାଟେନ୍ଦୁକେଶରୀ

 

ଉତ୍କଳ-ଜନନି ! କିମ୍ପା ବିରସବଦନା,

ତ୍ରିଦିବ ଦୁର୍ଲ୍ଲଭ କାନ୍ତି ପାଣ୍ଡୁର ବରନା ?

ରତନ ମୁକୁତା ଯୁତ-ଚାରୁ ଅଳଙ୍କାର

ଲଭିଛି ମାର୍ଜନା ବିନା ମରିଚା ବିକାର ।

ମୃଗମଦ ଲେଖା ତବ ନୟନର ନୀରେ

ଲିଭିଯାଏ ପୋଛି ପୋଛି ପଣନ୍ତ କାନିରେ ।

ଅଯତନେ ବିପର୍ଯ୍ୟସ୍ଥ ଅଙ୍ଗର ଭୂଷଣ

ନାହିଁ କେହି କରିବାକୁ ସ୍ୱସ୍ଥାନେ ମଣ୍ଡନ ।

ଦେଖ ଲଲାଟେନ୍ଦୁ ଥାଇ ଅମର ପ୍ରାସାଦେ

ଯାପଇ ଜନନୀ ଦିନ ମାନସ ବିଷାଦେ ।

ଚାରୁ କାରୁ କଳାଘର ଏକାମ୍ର କାନନେ

ରହିଅଛି ଲତା ସୂତା କାଟଇ ଯତନେ ।

କେତେ ଦିନେ ଜନନୀର ଲଲାଟ ଲିଖନ

ବଦଳିବ, ଲଲାଟେନ୍ଦୁ, ଶୁଣାଅ ବହନ ।

Image

 

ମର୍କତକେଶରୀ

 

ଉତ୍କଳ ଅବନୀ-ଗଙ୍ଗା ଚାରୁ ଚିତ୍ରୋତ୍ପଳା,

ଉତ୍କଳର ବାରାଣାସୀ-ରଜତ ମେଖଳା ।

ବସି ଦିନେ ତୀରେ ତୋର ସାନ୍ଧ୍ୟ ସମୀରଣ

କରୁଥିଲି ଉପଭୋଗ, ଶ୍ରୀଛାୟାରମଣ

ଦିନାନ୍ତେ ପଖାଳି ମୁଖ ତୋର ନୀଳ ଜଳେ

ପୋଛି ଦେଉଥିଲେ ବାରି ପ୍ରିୟା ଚେଳାଞ୍ଚଳେ ।

ଚାଲି ଯାଉଥିଲୁ ଧୀରେ ବିଶଦେ ବଖାଣି

କଳ-ନିନାଦିନୀ ଧନୀ ଉତ୍କଳ କାହାଣୀ ।

ଅନ୍ୟ ପାଶେ ବସି ତୋର ସଖୀ କାଠଯୋଡ଼ୀ

ଶୁଣି ପଦେ ଅଧେ ମଧ୍ୟେ ଦେଉଥିଲା ଯୋଡ଼ି ।

ଶୁଣି ନାହିଁ ଭାଗ୍ୟହୀନ ମୁହିଁ ସବୁ କଥା,

ମନେ ପଡ଼େ ଚିତ୍ରୋତ୍ପଳା, ଏକମାତ୍ର ଲଥା ।

ପ୍ରାଚୀନ-ଉତ୍କଳ ଶିଳା-ଶିଳ୍ପର ବର୍ଣ୍ଣନା,

ଯଶୋଧନ । ମରକତ-ସେତୁ-ବିରଚନା ।

Image

 

ପ୍ରତାପରୁଦ୍ର

 

ହେ ପ୍ରତାପରୁଦ୍ର ଦେବ ସୁଧୀ ବୀରାଗ୍ରଣୀ,

ସାହିତ୍ୟ ରସିକ ଧୀର ଭକ୍ତ ଚୂଡ଼ାମଣି ।

ପରଖି ବୀରତ୍ୱ ତବ ‘‘ହୁସେନ କୁତବ’’

ପଳାଇଲେ ପ୍ରାଣ ଧରି ମାନି ପରାଭବ ।

ଘଟିଲା ରାଜତ୍ୱେ ତୁମ୍ଭ ଖେମଣ୍ଡି ବିବାଦ

ଅପୂର୍ଣ୍ଣ ରହିଲା ତେଣୁ ନିଜ ମନ ସାଧ ।

ଦାକ୍ଷିଣାତ୍ୟ ଅଭିଯାନେ ମୈନ୍ତ୍ରୀ ସଂସ୍ଥାପନା

ସୂଚାଉଛି ଦେଶ କାଳ-ପାତ୍ର ବିବେଚନା ।

ତୁମ୍ଭ ରାଜତ୍ୱରେ ଲଭି ନବ ଜାଗରଣ

ଭାଷା କମଳିନୀ ଧନୀ ମେଲିଲା ନୟନ ।

ଭକ୍ତ କବି ଜଗନ୍ନାଥ ବଳରାମ ଦାସ

କଲେ ଗୃହେ ଗୃହେ ଭାଷା-ମାଧୁରୀ ପ୍ରକାଶ ।

ଶ୍ରୀଚୈତନ୍ୟ ରାମାନନ୍ଦ ପ୍ରିୟ ଉପାସକ,

ଥିଲ ହେ ପ୍ରତାପ, ନବ ଧର୍ମ ପ୍ରଚାରକ ।

Image

 

ଅନଙ୍ଗଭୀମ ଦେବ

 

ଉତ୍କଳ ଗୌରବ ରବି ହେ ଲୋକପୂଜିତ,

ସହସ୍ର ମୟୂଖେ ତବ ଉତ୍କଳ ଦୀପିତ ।

ବକ୍ଷେ ଧରି ସ୍ମୃତିଚିହ୍ନ ଦେଉଳ ତଡ଼ାଗ,

ରାଜେ ସେତୁଘାଟ ବାମ୍ଫୀ କୂପ ରାଜମାର୍ଗ ।

ଟେକି ଊର୍ଦ୍ଧ୍ୱେ ଶୀର ନୀଳ-ଚକ୍ର ନୀଳାଚଳେ

ମହୀୟସୀ କୀର୍ତ୍ତି-ତବ ଦେଖାଏ ଅମରେ ।

ରହି ଭଗ୍ନ ଅବଶେଷ ଦୁର୍ଗ ବାରବାଟୀ

ଦେଖାଉଛି ତୁମ୍ଭ ରଣ-ନୀତି ପରିପାଟି ।

ଘେନି ନୀତିପଟୁ ସୁଧୀ-ବୃନ୍ଦ ବିଚକ୍ଷଣ

କରୁଥିଲ, ବୀର, ରାଜ୍ୟ ଶ୍ରୀ ବୃଦ୍ଧି ସାଧନ ।

ଶାସନର ରୀତି-ପ୍ରୀତି ଥିଲା ମନ୍ତ୍ରମୂଳ,

ସେହି ବନ୍ଧନରେ ବନ୍ଧା ଥିଲେ ଶତ୍ରୁକୁଳ ।

ଇତିହାସ ଗାଉଅଛୁ ଶାସନ ପ୍ରଶସ୍ତି,

ମହିମିତ ତୁମ୍ଭଲାଗି ଦେଶ ମହାମତି !

Image

 

ନରସିଂହ ଦେବ

 

ଦେଖ ନରସିଂହ ଦେବ ତ୍ରିଦିବ ଧାମରୁ,

ମାତେ କେହ୍ନେ ବିକଳାଙ୍ଗୀ ଦଇବ ବଶରୁ ।

ନ ଶୁଣଇ କେହି ତାର କରୁଣ କ୍ରନ୍ଦନ

ସ୍ୱାର୍ଥାନ୍ଧ ଶାସକ ଦଳ ବଧୀର ଶ୍ରବଣ ।

ମନେ ପଡ଼େ, କୋଳବର୍ଗ ଗଉଡ଼ ବିଦର

କରିଥିଲେ ଯେବେ ବୃଦ୍ଧି ମାତା କଳେବର ।

ଶୁଣିବ ନାହିଁକି ବୀର ଜନନୀର ଖେଦ,

ଦେଖୁଥିବ କେତେଦିନ ଅଙ୍ଗ ବ୍ୟବଚ୍ଛେଦ ?

ଦେଲ କି ପାସୋରି କାରୁ-କଳା କୋଣାର୍କର

ତ୍ରିଦିବ ଦୁର୍ଲଭ ଆହା ମନୋମୁଗ୍ଧକର ।

ପଠାଅ ସରଗୁଁ ଦେବ ବାରଶ ଭାସ୍କର

କୁନ୍ଦିବେ କୋଣାର୍କେ ବସି କମଳ କେଶର ।

ଗାଇବ ଜଗତ ଗୀତ ତବ ମହିମାର

ରହିଥିବ ଯେତେଦିନ କୋଣାର୍କ-କଙ୍କାଳ ।

Image

 

ଚୋଳଗଙ୍ଗଦେବ

 

ଅମିତ ତେଜସ୍ୱୀ ଚୋର-ଗଙ୍ଗ ବୀରବର,

ପରରାଜ୍ୟେ ପ୍ରଶଂସିତ ତବ ଭୁଜବଳ ।

ଉଡ଼ାଇଲ ଉତ୍କଳର ଜୟ ବୈଜୟନ୍ତୀ

ରଖି ବଙ୍ଗ ଇତିହାସେ କୀରତି ମହତୀ ।

ନେତୃତ୍ୱେ ତୁମ୍ଭରି ଦିନେ ଉତ୍କଳୀୟ ବୀରେ

ଧୋଇଥିଲେ ଶୋଣିତାକ୍ତ ଅସି ଗଙ୍ଗାତୀରେ ।

ଦେଖି ଦୀନ ଉତ୍କଳର ଦାରୁଣ ପତନ

ମନେ ହୁଏ ଆଜି ତାହା ଅଳୀକ ସ୍ୱପନ ।

କିଏ ଚୋରଗଙ୍ଗ ଆଜି କରିବ ବିଶ୍ୱାସ

ରତ୍ନପୁର ଦୁର୍ଗ ଦିନେ ଥିଲା ରୁଦ୍ଧଶ୍ୱାସ ।

ପରଂତପ ଉତ୍କଳୀୟ ସେନା ଅବରୋଧେ,

ଗଣିଲେ ପ୍ରମାଦ ବାଳା ଥାଇ ଅବରୋଧେ ।

ଦେଖିଲେ ମାଦଳା ପାଞ୍ଜି ଟିପଣୀ ପ୍ରଥମ

ଜନ୍ମିବ ପ୍ରତ୍ୟୟ, ବୀର, ଦୂରହେବ ଭ୍ରମ ।

Image

 

ପୁରୁଷୋତ୍ତମଦେବ

 

ମନେପଡ଼େ ଆଜି ସେହି କାଞ୍ଚି ଅଭିଯାନ,

ନୀଳାଦ୍ରିବିହାରୀ ଯହିଁ ଭକତ ଗୁମାନ

କଲେ ରକ୍ଷା ବିଜେକରି ସମର ଚତ୍ୱରେ

ବନ୍ଧାଦେଲେ ରତ୍ନମୁଦି ମାଣକ ହସ୍ତରେ;

କାଞ୍ଚିଜୟ ଗାଥା ତବ କରଇ କୀର୍ତ୍ତନ

ଚିଲିକାମୁହାଣେ, ବୀର, ମାଣିକ ପତ୍ତନ ।

ସାକ୍ଷୀ ଗୋପୀନାଥ ମଞ୍ଜୁ-ବକୁଳ କାନନେ

ଦେଉଛନ୍ତି ସାକ୍ଷ୍ୟ ତାର ଦୂର ପାନ୍ଥଜନେ ।

ହେ ପୁରୁଷାତ୍ତମ, ପିତା, ଭକତବତ୍ସଳେ

ଭକତିବନ୍ଧନେ ବାନ୍ଧି ରଖିଲ ଅଞ୍ଚଳେ,

ଲଭିଲ ଉତ୍କଳ ଗଜ-ପତି ସିଂହାସନ

କରି ସୌଜନ୍ୟରେ ଭାତ୍ରୁ-ବିବାଦ ଦମନ ।

ଦୟା ଦାକ୍ଷିଣ୍ୟରେ ତୁମ୍ଭେ ଅମର-ବନ୍ଦିତ,

ଉତ୍କଳ ସାହିତ୍ୟ ଗାଏ ନାମ ମହିମିତ ।

Image

 

ରାମଚନ୍ଦ୍ର ଦାଶ

 

ଶୁଭଲଗ୍ନେ କ୍ଷଣଜନ୍ମା ଜନମି ଉତ୍କଳେ

ସୁଦୂର ଭିଙ୍ଗାରପୁର ପଲ୍ଲୀ କୁଟୀରରେ ।

ଦୀନ ଦୁଃସ୍ଥ ପଲ୍ଲୀବାସୀ ଦୁଃଖ ବିମୋଚନେ

କରୁଥିଲ କେତେ ଚିନ୍ତା ନୀରବେ ବିଜନେ ।

ଜାଣିଥିଲ ଦେଶୋନ୍ନତି ପଲ୍ଲୀ-ସଂଗଠନେ

ବ୍ରତୀ ଥିଲ ତେଣୁ ପଲ୍ଲୀ-ଉନ୍ନତି ସାଧନେ ।

ଶିକ୍ଷା ବିବର୍ଦ୍ଧିନୀ ସଭା ନୀତି-ବିଦ୍ୟାଳୟ

ସ୍ଥାପିଥିଲ ନିଜଗ୍ରାମେ ହେ ମହଦାଶୟ

ଦେଖ ଉତ୍କଳବ୍ରାହ୍ମଣ-ସମିତି-ବଲ୍ଲରୀ

ଧରିଅଛି କେତେ ବାସ କୁସୁମ-ମଞ୍ଜରୀ ।

ଥିଲ କର୍ମଯୋଗୀ ତୁମ୍ଭେ ମୂଳାଧାର ତାର

ବଢ଼ାଏ ସେ ଆଜି ତୁମ୍ଭ ସୁବାସ ପସାର

ସଂସାର-ସନ୍ନ୍ୟାସୀ ଆର୍ଯ୍ୟ ସ୍ୱେଦେଶବତ୍ସଳ,

କରୁଛି ପ୍ରଣାମ ସ୍ୱର୍ଗୁ ଆଶୀର୍ବାଦ କର ।

Image

 

କବି ସୁଲକ୍ଷଣା ଦେବୀ

 

ଏ ପୁଣ୍ୟ ଉତ୍କଳଭୂମି ବସନ୍ତ ନିବାସ,

ଫୁଟୁଅଛି ବାରମାସି କୁସୁମ ସୁବାସ ।

ଜାଈ ଯୁଥୀ ନାଗେଶ୍ୱର ମଲ୍ଲିକା ମାଳତୀ

ମନ୍ଦାର ଟଗର ଚମ୍ପା କେତକୀ ସେବତୀ ।

ଆସ କବି ସୁଲକ୍ଷଣେ ତ୍ୟଜି ସୁରଧାମ

ଗୁନ୍ଥିବ କବିତାସୁତ୍ରେ ସୁମନ ସୁଦାମ ।

ସ୍ୱର୍ଗପାରିଜାତେ ତାକୁ କରି ସୁମଣ୍ଡନ

ଲମ୍ବାଇବ ଜନନୀର ଗଳେ ସୁଯତନ

ପ୍ରେମଭକତିରେ ବନ୍ଧା ତବ ସହଚରୀ

ଆଗୁଳନ୍ତି ପଥ କିବା ସ୍ୱର୍ଗ ବିଦ୍ୟାଧରୀ ?

କିବା ବଳେନାହିଁ ମନ ଅମୃତ ଆଳୟ

ତ୍ୟଜିବାକୁ କ୍ଷଣେ, ସତି, ନିତ୍ୟାନନ୍ଦମୟ ।

ଚାହିଁଛି ଜନନୀ ଆସ ଆସ, ଦେବି, ତ୍ୱରା,

ମେଲିଦେବ ତୁମ୍ଭ ଆଗେ ତା’ ଫୁଲ ପସରା ।

Image